ସମ୍ପର୍କ
ସମ୍ପର୍କ
ମିଛ ମାୟା ଭରା ଏଇତ ସମ୍ପର୍କ
ସ୍ବାର୍ଥରେ ବାଇ ସମସ୍ତେ
ସ୍ବାର୍ଥକୁ ହାସଲ କରିବାର ଅର୍ଥେ
ନଚାନ୍ତି ସମ୍ପର୍କ ହସ୍ତେ ।
ସମ୍ପର୍କକୁ ଦ୍ବାହି ଦେଇଣ ଅନେକ
ସୁଖକୁ ଛଡେଇ ନ୍ୟନ୍ତି
ସ୍ବାର୍ଥ ସରିଗଲେ ସମ୍ପର୍କ ଭାଙ୍ଗନ୍ତି
ବିଶ୍ବାସେ ବିଷ ଭରନ୍ତି ।
ସମ୍ପର୍କର ସେତୁ ଏମିତି ଗୋଟିଏ
ସହଜେ ଭାଙ୍ଗେ ନାହିଁ
ଯେତେ ଦୂରେ ଯିଏ ଯାଉନା କାହିଁକି
ଅତୁଟ ଥାଏ ସେ ରହି ।
ଏମିତି ଗୋଟିଏ ଆତ୍ମିୟତା ଥାଏ
ନା ଭୁଲି ପାରନ୍ତି କିଏ
ଆଖିର ଆଗରୁ ଯେତେ ଦୂରେଇଲେ
ମନ ସେତେ ଝୁରୁ ଥାଏ ।
ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କ
କେତେ ମିଠା ସତେ ସିଏ
ରାଗ, ଈର୍ଷା, ଅଭିମାନ ଯେତେ ବଢେ
ନୀବିଡତା ସେତେ ହୁଏ ।
ପରିବାର ଭିତରେ ସେନେହ ମମତା
ସମ୍ପର୍କର ଭରା ନଈ
କେତେବେଳେ ସିଏ ସରଗର ସୂଖ
ଲୁହେ କେବେ ଦିଏ ଧୋଇ ।
ସ୍ବାମୀ ସ୍ତ୍ରୀ ମଧ୍ୟେ ସମ୍ପର୍କ ଏମିତି
ଗୋଟିଏ ଦେହର ଛାଇ
ଜଣଙ୍କ ବିନା ତ ଜଣଙ୍କ ଜୀବନ
ଥାଏଟି ଅଧୂରା ହେଇ ।
ସ୍ବାମୀ ସ୍ତ୍ରୀଙ୍କର ସମ୍ପର୍କର ମଧ୍ୟେ
&n
bsp;ସନ୍ଦେହ ଜମା ଆଣନି
ସେଇ ସନ୍ଦେହ ତ ଏମିତି ଗୋଟାଏ
କାହାକୁ ବି ସେ ଛାଡେନି ।
ଗୁରୁ ଶିଷ୍ୟଙ୍କର ସମ୍ପର୍କଟି ସତେ
ଅତି ବିରଳ ଅଟଇ
ପୁରାଣ ପୋଥିରୁ ଇତିହାସ ଦେଖ
ଚିରସ୍ମରଣୀୟ ଏଇ ।
ମା ସ୍ନେହ ମମତା ବନ୍ଧନ ଡୋରଟି
ନା କେବେ ଛିଣ୍ଡି ଯାଏ
ସନ୍ତାନ ସୁରକ୍ଷା ମଙ୍ଗଳ ପାଇଁ ସେ
ଠାକୁରଙ୍କୁ ଡାକୁ ଥାଏ ।
ସାଙ୍ଗ ସଙ୍ଗ ମଧ୍ୟେ ସମ୍ପର୍କର ଡୋର
କେତେ ସିଏ ମଧୁରତା
ନିଃସ୍ବାର୍ଥ ମନର ବନ୍ଧୁତ୍ବର ଭାବ
ହୁଏନି କେବେ ଦୂରତା ।
ଦେଶ ଦେଶ ମଧ୍ୟେ ସମ୍ପର୍କର ଭାବ
ଉନ୍ନତିର ଚାବି କାଠି
କେତେ ଖୁସି ଲାଗେ ଦୂର ବନ୍ଧୁ ଯେବେ
ଲେଖିଣ ପଢାନ୍ତି ଚିଠି ।
ସେଇ ଚିଠି ଗଢେ ଏମିତି ସମ୍ପର୍କ
ଦୁଇ ମନ ଏକ ହୁଏ
ଜଣେ ଜଣଙ୍କୁ ଯେ ଦେଖିବାର ପାଇଁ
ଜଣଙ୍କ ପାଖକୁ ଧାଏଁ ।
ଭକ୍ତ ଭଗବାନ ନୀବଡ ସମ୍ପର୍କ
ରହିଥାଏ ଚିରସ୍ଥାୟୀ
ଯେତ ଝଡଝଞ୍ଜା ଜୀବନରେ ଆସୁ
ହେଉ ଅବା ଧରାଶାୟୀ ।
ପ୍ରଭୁ ବିନା ଭକ୍ତ ବଞ୍ଚିତ ପାରେନା
ପାଦରେ ଆଶ୍ରୟ ନିଏ
ଯୁଗ ଯୁଗ ପାଇଁ ଭକ୍ତ ଭଗବାନ
ସମ୍ପର୍କଟି ରହି ଥାଏ ।