ସଖୀ ତୁମେ ଆଶାର ଆକାଶ
ସଖୀ ତୁମେ ଆଶାର ଆକାଶ


ନୀଳ ଆକାଶରେ ଭାସି ବୁଲୁଥିବା
ତୁମେ ଏକ ନୀଳ ଜହ୍ନ
ମୁଁ ଏକ ଦରଦୀ ପ୍ରୀତିଭରା ଗୀତ
ତୁମକୁ ଦେଇଛି ମନ I
ଅଥଳ ସାଗର ନୀଳ ଜଳରାଶି
ପୋତଟିଏ ତୁମେ ସଖୀ
ଦିଗହରା ଏକ ନାବିକ ଦୁଃଖ ମୁଁ
କୂଳ ଖୋଜୁଥିବା ଆଖି I
ମୋ ହୃଦ ପଞ୍ଜୁରୀ ଭିତରେ ଗୋ ସଖୀ
ତୁମେ କଥାକୁହା ଶାରୀ
ବୁଝି ମୁଁ ପାରେନି ତୁମ ଉପସ୍ଥିତି
ମିଛେ ହେଉଥାଏ ଝୁରି I
ପ୍ରେମମୟୀ ତୁମେ ସାଗର କୂଳରେ
ଅଧାଗଢା ବାଲିଘର
ମୁଁ ଶୂନ୍ୟଗର୍ଭା ଶାମୁକାର ଦୁଃଖ
ଲୁହଭରା ଆଖି ତାର I
ତୁମେ ସଖୀ ମୋର ଆଶାର ଆକାଶ
ମରୁଝର ମରୁଦ୍ୟାନ
ମୁଁ ଏକ ତୃଷିତ ଦରଜଳା ପ୍ରାଣ
ଦରଦରେ ଭରା ମନ I
ଅଭାବି ମନର ଦୁଃଖଟେ ମୁଁ ସଖୀ
ତୁମେ ବଡଦାଣ୍ଡ ଧୂଳି
ତୁମ ପରଶରେ ପରିପୂର୍ଣ୍ଣ ହେବି
ଭରିଯିବ ମୋର ଝୁଲି I