ସଖା ସୁଦାମା
ସଖା ସୁଦାମା
ଦ୍ଵାପର ଯୁଗର କଥାଟିଏ ଇଏ
ଶ୍ରୀକୃଷ୍ଣ ସୁଦାମା ସଖା ।
ସାନ୍ଦିପନୀ ଗୁରୁ ଆଶ୍ରମେ ଦୁହିଁଙ୍କ
ପିଲାଦିନେ ହେଲା ଦେଖା। ୧।
ପଢୁୁଥିଲେ ପାଠ ସାଙ୍ଗସାଥୀ ହୋଇ
ସଖା ହୋଇଥିଲେ ଦୁହେଁ ।
ବନ୍ଧୁତା ନିବିଡ ରହିଥିଲା ତାଙ୍କ
ଇତିହାସ ଯାହା କହେ ।୨।
ଦୁଇ ସଖା ଦିନେ ଜଙ୍ଗଲକୁ ଗଲେ
ସମିଧ ସଂଗ୍ରହ ପାଇଁ ।
ଗୁରୁମାତା ଚଣାଭଜା ଦେଇଥିଲେ
ସୁଦାମାଙ୍କ ହାତେ ନେଇ ।୩।
ଭୋକ ହେଲେ ସାଙ୍ଗ ହୋଇ ଖାଇଦେବ
କହିଥିଲେ ଗୁରୁମାତା ।
ଭଜାଚଣା ଥିଲା ସୁଦାମାଙ୍କ ପାଶେ
ଶ୍ରୀକୃଷ୍ଣ ନ ଜାଣନ୍ତି ତା ।୪।
ଦୁଇ ସଖା ଗଲେ ସମିଧ ପାଇଁକି
ଆସିଲା ବରଷା ମାଡି ।
ତଳେ ରହିଥିଲେ ସୁଦାମା ଶ୍ରୀକୃଷ୍ଣ
ବୃକ୍ଷ ପରେ ଗଲେ ଚଢି ।୫।
ସୁଦାମା ଖାଇଲେ ଚଣାକୁ ଚୋବାଇ
କଡ କଡ ଶୁଭୁଥାଏ ।
ଶ୍ରୀକୃଷ୍ଣ ପୁଚ୍ଛନ୍ତି କଅଣ ଖାଉଛ
ସଖା କହିବ ଟିକିଏ ।୬।
ସୁଦାମା କହନ୍ତି କିଛି ମୁଁ ଖାଉନି
ଟପ ଟପ ପଡେ ପାଣି ।
ଶ୍ରୀକୃଷ୍ଣ ହସନ୍ତି ମୁରୁକି ମୁରୁକି
ଅଜଣା କି ତାଙ୍କୁ ପୁଣି ।୭।
ଶିକ୍ଷା ହେଲା ଶେଷ ଫେରିଲେ
ଗୃହକୁ ଯେଝା କାର୍ଯ୍ୟରେ ଲାଗିଲେ ।
ଦ୍ଵାରକାଧିପତି ଶ୍ରୀକୃଷ୍ଣ ସୁଦାମା
ଭିକ୍ଷା ବୃତ୍ତିରେ ଚଳିଲେ ।୮।
ପେଟ ଚାଖଣ୍ଡକ ନପୂରଇ କେବେ
ପୁତ୍ର ଭାରିଯା ସହିତ ।
ଅତି ଦୁଃଖୀ ହୋଇ ଜୀବନଯାପନ
କରୁଥାଆନ୍ତି ସତତ ।୯।
ସଖା ଶ୍ରୀକୃଷ୍ଣଙ୍କୁ ଭଲ ସେ ପାଆନ୍ତି
ଅହର୍ନିଶି ଭଜୁଥାନ୍ତି ।
ଦିନେ ପତ୍ନୀଙ୍କର କଥା ମାନି ଗଲେ
ମାଗିବେ ଧନ ସମ୍ପତ୍ତି ।୧୦।
ପଥେ କଷ୍ଟ ସହି ନଖାଇ ନପିଇ
ପହଞ୍ଚିଲେ ଦ୍ଵାରକାରେ&nb
sp;।
ସଖା ଆସିଛନ୍ତି ଏତେଦିନେ ଶୁଣି
ଶ୍ରୀକୃଷ୍ଣ ଧାଇଁଲେ ଖରେ । ୧୧।
ମିଳନ ହୋଇଲା ଦୁଇ ହୃଦୟର
ଦୁହେଁ ଦୁହିଁଙ୍କୁ କୁଣ୍ଢାଇ ।
ଧରି ରହିଥିଲେ ଦେଖଣାହାରୀଏ
ରହିଲେ ଚକିତ ହୋଇ ।୧୨।
ରାଣୀଙ୍କ ସହିତ ପଦଧୌତ କଲେ
ଶ୍ରୀକୃଷ୍ଣ ନିଜ ସଖାର ।
ଉତ୍ତରୀରେ ପୋଛି ସାଷ୍ଟାମ କରାଇ
ବସାଇ ସିଂହାସନର ।୧୩।
ନୀରାଜନା କରି ସୁଖ ଦୁଃଖ ହୋଇ
ଶ୍ରୀକୃଷ୍ଣ ପୁଚ୍ଛନ୍ତି ସଖା ।
କି ଦେଇ ଅଛନ୍ତି ସଖୀ ମୋହ ପାଇଁ
କରିବି ମୁଁ ମୁହଁ ଚଖା ।୧୪।
ଦେଖିଲେ ସୁଦାମା ଜାକି ରଖିଛନ୍ତି
କାଖ ତଳେ ଖୁଦଭଜା ।
ଭିଡି ଆଣି ମୁଠେ ଶ୍ରୀକୃଷ୍ଣ ଖାଇଲେ
ଲାଗିଲା ବଢିଆ ମଜା ।୧୫।
ଆଉ ମୁଠେ ଖାଇ ତୃତୀୟ ମୁଠା ସେ
ଖାଇବାକୁ ନେଉଥିଲେ ।
ପାଟମହାଦେଈ ଋକ୍ମିଣୀ ସେତକ
ହାତରୁ ଛଡାଇ ନେଲେ ।୧୬।
କହିଲେ ସଂସାର ଦାୟିତ୍ବ ନେଇଛ
ଏକଥା ମନେ ନାହିଁକି ?
ଏକୁଟିଆ ଯଦି ସବୁ ଦେବ ଖାଇ
ସୃଷ୍ଟି ଆଉ ରହିବକି ?୧୭।
ଦିନ କେତେ ରହି ସୁଦାମା ଆପଣା
ଗୃହକୁ ଆସିଲେ ଫେରି ।
କିଛି ନମାଗିଲେ ସଖାଙ୍କୁ ତାଙ୍କର
ପୂର୍ବ କଥା ମନେ ହେରି ।୧୮।
ବିଦାୟ ନେଇ ସେ ଆସିଲେ ସ୍ୱଗୃହେ
ବଦଳିଥିଲା ସେ ଘର ।
ଭଙ୍ଗା କୁଡିଆଟି ନଥିଲା ଦେଖିଲେ
ଏ କି ରାଜ ଦରବାର ।୧୯।
ପତ୍ନୀଙ୍କୁ ତାଙ୍କର ନପାରନ୍ତି ଚିହ୍ନି
ରତ୍ନାଳଙ୍କାର ଭୂଷଣ ।
ପରିଧାନ କରି ରହିଥିଲେ ଯେଣୁ
ଥିଲେ ଦାସ ଦାସୀଗଣ ।୨୦।
ଶ୍ରୀକୃଷ୍ଣ ତଦ୍ଗତ ପ୍ରାଣ ସଖା ସୁଦାମା
ଶ୍ରୀକୃଷ୍ଣ ତାଙ୍କ ପ୍ରାଣ ।
ବନ୍ଧୁତା ତାଙ୍କର କାଳର ବକ୍ଷରେ
ରହିଛି ହୋଇ ମହାନ ।୨୧।