ସିଧାକଥା ୭୫
ସିଧାକଥା ୭୫
ନିଜପୁଅ ସିନା ଦିଶଇ ସୁନ୍ଦର ହେଉପଛେ କଣା-କୁଜା,
ଭକ୍ତର ଆଖିକୁ ସବୁଠୁଁ ସୁନ୍ଦର ଦିଶେ ମନ୍ଦିରର ଧ୍ୱଜା ।
ମୂର୍ତ୍ତିକୁ ସୁନ୍ଦର ଦିଶେ ଫୁଲମାଳ ଧୂପ-ଦୀପ ଜାଳୁଥିଲେ,
ବରକୁ ସୁନ୍ଦର ପାଲିଙ୍କି ଆଗରେ ବାଘ-ଭାଲୁ ନାଚୁଥିଲେ ।
କନିଆଁକୁ ମଥା ଓଢଣୀ ସୁନ୍ଦର ଧୀରେ ଧୀରେ ଚାଲୁଥିଲେ,
ନନାକୁ ସୁନ୍ଦର ବେଦୀପରେ ବସି ମନ୍ତ୍ର ପାଠ କରୁଥିଲେ ।
କୃଷକ ପାଇଁ ତା' ବଳଦ ସୁନ୍ଦର ଶ୍ରମିକଙ୍କୁ ତା'ର କୋଡ଼ି,
ସୈନିକର ପାଇଁ ବନ୍ଧୁକ ସୁନ୍ଦର ପୁଲିସକୁ ତା' ପଗଡ଼ି ।
ଯଉବନେ ସବୁ ଦିଶନ୍ତି ସୁନ୍ଦର ଗଛକୁ ସୁନ୍ଦର ଫୁଲ,
ନଈକୁ ସୁନ୍ଦର ନାଆ ଚାଲୁଥିଲେ ଧାନ ପାଚିଗଲେ ବିଲ ।
ଗାଆଁକୁ ସୁନ୍ଦର ନଡ଼ିଆ ବଗିଚା ଆମ୍ବତୋଟା ସବୁଜିମା,
ଦାଣ୍ଡକୁ ସୁନ୍ଦର ଛୁଆ ଖେଳୁଥିଲେ ବାଛୁରୀର ଡାକ ହଁମା ।
ରଜାକୁ ସୁନ୍ଦର ସୁନାର ମୁକୁଟ ଗହଣା ନାରୀଙ୍କ ପାଇଁ,
ଦେଶକୁ ସୁନ୍ଦର ସ୍ୱଚ୍ଛ ପରିବେଶ ପୋଖରୀରେ ପଦ୍ମ-କଇଁ ।
#ସିଧାକଥା