ଶୂନ୍ୟ ମଣ୍ଡଳ
ଶୂନ୍ୟ ମଣ୍ଡଳ
ସରତ କୁମାର ଦାସ
କ’ଣ ବା ଛୁଇଁବି
କାହାକୁ ଛୁଇଁଲେବି
ନାହିଁ ନାହିଁର ଶୂନ୍ୟ ପଣ
ନୀଳ ନୀଳ ଆକାଶର
ପବନ ଭର୍ତ୍ତି ସ୍ଵର l
ତଥାପି ସେ ଅଦୃଶ୍ୟ ଶୂନ୍ୟମଣ୍ଡଳରୁ
ଗୋଟିଇ ଆଣିବାକୁ ହୁଏ
ପ୍ରଜାପତିଙ୍କ ଉଡ୍ଡାଣ, ବିହଙ୍ଗଙ୍କ କଳରବ
ମହୁମାଛିଙ୍କ ମହୁ ତିଆରିର କୌଶଳ
ଖୋଳପା ଭିତରୁ କଚ୍ଛପ ମୁହଁର ଛଳ ଛଳ ପଣ l
ଏମାନେ ବି ଦିନେ
ମହମ ପରି ତରଳିଯିବେ
ଉଲ୍କାଟିଏ ପରି ମିଶିଯିବେ
ଦୂର ଦିଗନ୍ତରେ
ଏପରିକି ମୋ ଭାବ ସମୁଦ୍ରକୁ ମନ୍ଥନ କରି
ଶୂନ୍ୟତାକୁ ଆପଣେଇ ନେବେ
ନିଜସ୍ୱ ପଣରେ l
ଯାହା କିଛି ରହିଯିବ
ଧୁଳିକଣା ପରି ଊଡ଼ିବୁଲୁଥିବା
କିଛି ସ୍ମିତ ହସ, ସମ୍ପର୍କ, ଆବେଗ, ବିଶ୍ବାସ
ଓ ସେମାନଙ୍କ ଭିତରୁ ଉତୁରି ପଡୁଥିବା
କିଛି ଛଳ ଛଳ ପଣ
ଯାହାକୁ ନେଇ ଆଗାମୀ ବଂଶଧର ମାନେ
ସଜିଲ୍ ହଉଥିବେ
ସ୍ଵପ୍ନତ ନୁହେଁ
ବରଂ ବାସ୍ତବ ଶୂନ୍ୟମଣ୍ଡଳଟିଏ
ଗଢ଼ିବା ଅଭିପ୍ରାୟ ନେଇ l