ଶତାବ୍ଦୀର ସ୍ଵର
ଶତାବ୍ଦୀର ସ୍ଵର
ହସି ହସି ବାଣ୍ଟି ଖୁସି
ବସି ବସି କଷି କଷି
ଦୂରେଇ ଦେବାର ଅଛି
ଜୀବନ ଦୀପ ତଳ ଅମା ଅନ୍ଧାର ।
କଷ୍ଟରେ ଝାଳେଇ ଉଠି ବସି
ମୁଣ୍ଡରେ ମୁଣ୍ଢେଇ ଜଞ୍ଜାଳ ବେଶି
ବଢ଼େଇ ଚାଲିଥା ସାହାଯ୍ୟର
ହାତ ବଳୟକୁ ବାରମ୍ଵାର ।
ମନୁର ସନ୍ତାନ ଆମେ
ମଣିଷ ପୁଅ କର୍ମବୀର
ମାନବରୁ ମାହାମାନବର
ପନ୍ଥା ଧରିବା
ଆମେ ଶତାବ୍ଦୀର ସ୍ଵର ।
ମାନବିକତାର ମଞ୍ଜି ବୁଣିବା
ମଣିଷ ପଣିଆରେ ମୁରୁକି ଦେବା
ମାଡ଼ିଯିବା
ଖେଦି ଯିବା
ବ୍ୟାପି ଯିବା
କର୍ମ କରି କର୍ମ ଆଦରି
ଫମ୍ପା ବାକ୍ୟବାଣ ବିସ୍ଫୋରଣଠୁଁ
ରହିବା କୋଶେ ଦୂର ।
ସେବା ମନୋଭାବର ସିଡ଼ି ଚତି
ସାହାଯ୍ୟର ପାହାଚ଼ ପରେ ପାଵଚ୍ଛ ପ୍ରସାରୀ
ଧାଇଁ ଯିବା
ଡେଇଁ ଯିବା
ଲକ୍ଷ୍ୟଭେଦର ଦୁର୍ବାର ଆଶା ସଂଚାରୀ
ତେଜି ଆଳସ୍ୟ ଜଞ୍ଜିର ।
ସମାଧାନର ଚାବି ପେନ୍ଥା ଧରି
ଉପସଂହାରର ଚନ୍ଦ୍ର ବନ୍ଧନୀ ସାରି
ତର୍କ ବିତର୍କର ଫାସ ଚିରି
ହେତୁବାଦୀ - ଅହେତୁବାଦୀର
ମିଛ ପ୍ରହସନକୁ
ପାଦରେ ଆଡିଦେଇ ଆଗୁସାରି
ଆପଣେଇବା ପର ଇତର ।
ପାଦରେ ଦଳିଦେବା ମଳିଦେବା
ଅୟୁତ ଯୁଗର ଅନ୍ଧ କୁସଂସ୍କାର
ସେବାରେ ତାରିଦେବା ସାରିଦେବା
ଯୋଜନ ଯୋଜନ ପାତର ଅନ୍ତର
ଯିଏ ଯାହା ଭାବୁ ପଛେ
ଯିଏ ଯାହା କହୁ ପଛେ
ପଛଘୁଞ୍ଚା ନାହିଁ
ଫେରିବାର ନାହିଁ
ଧାଉଁଛେ ଧାଇଁବା
ଚାରିଦିନର ଆଯୁଷ ଆଣିଛେ ପରା
ବିବେକ ଡାକେ ତର ତର ।