STORYMIRROR

Ghanashyam Jena

Inspirational

3  

Ghanashyam Jena

Inspirational

ଶରତରେ ବୃନ୍ଦାବନ

ଶରତରେ ବୃନ୍ଦାବନ

1 min
165


ଅଇଲା ଶରଦ କାଳ, ଆକାଶ ଦିଶେ ନିର୍ମଳ

ଦଶ ଦିଶ ସୁମଞ୍ଜୁଳ, ବିମଳ କାନ୍ତି

ନଦୀ ସରୋବର ଜଳ, ଦିଶୁଅଛି ଅନାବିଳ

ନଭରେ ନୀରଦ ମାଳ,ଧବଳ ଅତି।

ଶୋଭା ଦିଶେ ଗିରି କାନନ

ଧବଳ ପୁଷ୍ପ ରାଶିରେ,ସେ ଉପବନ।୧।

ସରସୀ ଜଳେ କମଳ, କୁମୁଦ ଯେନିଳତ୍ପଳ

ବିକଶି ଦିଶେ ସୁଢଳ, ପୁଷ୍ପ ସକଳ

କ୍ରୀଡ଼ନ୍ତି ମରାଳ ମାଳ,ଭ୍ରମରେ ଭ୍ରମର ଦଳ

ମଧୁପ ମଧୁପାନରେ, ହୋଇ ବିହ୍ବଳ

କୁଞ୍ଜବନ ଶୋଭା ମଞ୍ଜୁଳ

ଧବଳ ବକ ବତକ,ମାଳକୁ ମାଳ।୨।

ଟଗର ମାଳତୀ ମଲ୍ଲୀ,ତରାଟ ଯୁଇ ଶେଫାଳି

ଚମ୍ପକ ମଧୁ ମାଳତୀ,ସେବତୀ ଜାଇ

ନିଆଳିକୁସୁମ ଡାଳେ,ଲୋଟିଣ ଅବନୀ ତଳେ

କାଶତଣ୍ଡି ଫୁଲେ ମହୀ,ଶୋଭା ଦିଶଇ।

ଜଳ ସ୍ଥଳେ ଫୁଟିଣ ଫୁଲ,

ସୁଗନ୍ଧ,ଶୀତଳ ସମୀରଣ ଅମୂଲ।୩।

ବୁଲି ବୁଲି ବନସ୍ତରେ,ବଳରାମ ସଙ୍ଗତରେ

ବାଳ ଗୋପାଳ ମେଳରେ,ବାଇଁଶିଧର

ବଂଶୀବାଇ ବନମାଳୀ,ବଇଁଶୀ ସ୍ୱନକୁ ତୋଳି

ବଚ୍ଛାକୁ ଚରାନ୍ତି ବୁଲି,ବୃନ୍ଦାବନର।

ଧେନୁ ପଲ ସଙ୍ଗତେ ଘେନି

ବଚ୍ଛାଏ କ୍ରିଡନ୍ତି ଶୁଭେ ଘାଗୁଡ଼ି ଧ୍ବନି।୪।

ଶିରେଶୋହେ ଶିଖିଚୂଳ,ଶୋଭା ଗଳେ

ବନମାଳ

କର୍ଣ୍ଣ ରେ କର୍ଣିକା ଫୁଲ, ଦିଶଇ ଶୋଭା

କଟୀତଟେ ପିତାମ୍ବର, ଅଧରେ ବେଣୁ ଶ୍ରୀକର

ନଟବର ବେଶ ତାର, କି ମନ ଲୋଭା।

ହୃଦେ କମଳ କଳି ମାଳ

ପାଦର ନୂପୁର ସ୍ୱନ,କେଡେ ମଞ୍ଜୁଳ।୫।

ଦେଖଗୋ ମୁରଲୀ ଭାଷ୍ୟ,ରଙ୍ଗାଧରେ ସ୍ମିତହାସ୍ୟ

ଅଧରରୁ ସୁଧାରସ, ପଡଇ ଝରି

ନଦୀ ହୋଇ ସ୍ଥିରଗତି, ପାଦପେ ଅଶ୍ରୁ ଶ୍ରବନ୍ତି

ପଶୁ ପକ୍ଷୀ ତରୁ ପଂକ୍ତି, ସ୍ତମ୍ବନ କରି।

ମୃଗ ମୟୁରାଦି, ସକଳେ

ନୃତ୍ୟ ତେଜି ଚାହିଁ ରହିଛନ୍ତି ଆକୁଳେ।୬।

ଦେବ କାମିନୀ ଶୂନ୍ୟର, ଶୁଣି ଏ ମୁରଲୀ ସ୍ୱର

ବାଜି ଶ୍ରବଣ ପଥର,ସେ ବେଣୁ ସ୍ୱନ

ବିମାନେ ଥାଇ ମୋହିତ, କବରୀ ବାସ ମୁକତ

ବଂଶୀ ସ୍ଵନେ ଆହ୍ଲାଦିତ, କାମିନୀ ଗଣ।

ସୁମଧୁର ମୁରଲୀ ସ୍ବର

ଗଗନ ପବନ ଭେଦି,ମହା ଶୂନ୍ୟର।୭।

ଗାବେ ବେଣୁସ୍ୱନ ଶୁଣି,ଚରି ନପାରେ ଧରଣୀ

ବଚ୍ଛା ବୃନ୍ଦ କରନ୍ତିନି, ଗୋରସ ପାନ

ସ୍ଥିରହୋଇ ମେଘମାଳ,  ନକରି ଚଳ ପ୍ରଚଳ

ଛତ୍ର ରୂପରେ ଶୀତଳ, ଛାୟା ପ୍ରଦାନ।

ପୁଲକିତ ସବୁରି ମନ

ସ୍ଥାବର ଜଙ୍ଗମ କିଟାଦି ତରୁତୃଣ।୮।


Rate this content
Log in

Similar oriya poem from Inspirational