ଶରଶଯ୍ୟା
ଶରଶଯ୍ୟା
ନାହିଁ ମୋର ଇଚ୍ଛା ମୃତ୍ୟୁ ବର
ବହୁତ ଦୂରରେ ଅର୍ଜୁନ ହାତର ଶରଶଯ୍ୟା ,
ଭୀଷ୍ମଙ୍କ ପରି ଭାଗ୍ୟ ନାହିଁ
ଶରଶଯ୍ୟାରେ ଶୋଇ ରୁଧିର ଝରାଇବାର ।
ପ୍ରତି ସ୍ତରରେ ଜୀବନର ମୃତ୍ୟୁ ହୋଇଚାଲିଛି
ଅହରହ ହୃଦୟରୁ ରକ୍ତ କ୍ଷରଣ
ନୀରବରେ ନିଃଶବ୍ଦରେ
ପ୍ରତିକ୍ଷଣରେ ଧୀରେ ଧୀରେ
ଭାଙ୍ଗି ଯିବାର ଅନୁଭବ ,
କେମିତି ପାର ହୋଇ ହେବ
ଏ ଲମ୍ବା ସମୟର ରାସ୍ତା ।
ଯେଉଁଠି ଥାଅ ତୁମେ
ସବୁ ପଛ କରି
ଜୀବନକୁ ଆଗେଇନେବା
ପାର୍ଥସାରଥୀ ସାଥିରେ
ଦିବ୍ୟତାର ଆଭାରେ
ପଛରେ କିଛି ନାହିଁ
କେହି ନାହିଁ
କିଛି ନାହିଁ ଜାଣିବି
କିଛି ଖୋଜି ପାଇବାର ଇଚ୍ଛା ଭିତରେ
ସ୍ପଷ୍ଟ ହୋଇଉଠେ
ଜୀବନର ସତ୍ୟତା ।
ଏ ତ ଭଲପାଇବାର ସାତ ରଙ୍ଗ
କେତେବେଳେ ଫୁଲ
କେତେବେଳେ କଣ୍ଟାର ରକ୍ତସ୍ନାନ
ବାସ୍ତବ ଜୀବନର କୋଳାହଳର
ଏକାକୀତ୍ବ ଭିତରେ
ସ୍ୱପ୍ନଭଙ୍ଗର ଗଭୀର ଯନ୍ତ୍ରଣା
ସବୁ ନାହିଁ ନାହିଁ ଭିତରେ
ହାରିଯାଇଥିବା ଜୀବନରେ
ନ ହାରିବାର ଅନୁଭବ ।
ସବୁବେଳେ ସବୁଠି
କିଛି ବାକି ରହିଯିବା ପରି
ଭୁଲି ବାର ପ୍ରଚେଷ୍ଟାରେ ପ୍ରତିକ୍ଷଣ
ହଜିଯିବାର ଭାବପ୍ରବଣତାରେ
ସବୁବେଳେ ଭଲଥାଅ
ମୋତେ ଭଲ ପାଅ କି ନ ପାଅ ।