ଶରଣାଗତ
ଶରଣାଗତ
ଏଇ ଜୀବନର ରଣ କ୍ଷେତ୍ରେ ହୋଇ ପରାହତ
ଆଉ ଯୁଝିବାକୁ ନାହିଁ ମୋହର ଶକ୍ତି ଓ ସାମର୍ଥ୍ୟ
ଭୀରୁପଣେ ନୁହେଁ ପ୍ରଶାନ୍ତିର ଅନନ୍ତ ଅନ୍ବେଷଣେ
ହୋଇଅଛି ଏବେ ମୁହିଁ କୁରୁକ୍ଷେତ୍ରରୁ ପରାଙମୁଖ।
ବୃଥା ତର୍କ ବିତର୍କ ବିବାଦ ତୁଛା ଅନୁଗ୍ରହ ଆନୁଗତ୍ୟ
ସବୁଥିରୁ ଯେହୁଁ ହୋଇଛି ଅନାସକ୍ତ ଭାବରେ ନିବୃତ୍ତ
ସେହୁ ଭୋଗୁଅଛି ନାନା ଯାତନା କଷଣ ଅକାରଣ
ସେଥିପାଇଁ କରି ନାହିଁ ମୋର ମନ ଉଣା କେଉଁ ଦିନ।
ଆହେ ଭାବଗ୍ରାହୀ କୃପାସିନ୍ଧୁ ମହାପ୍ରଭୁ ଶ୍ରୀଜଗନ୍ନାଥ!
ଦାତାପଣିଆରେ ପରା ତୁମ୍ଭ କୀର୍ତ୍ତି ଜଗତ ବିଦିତ
ତୁମ୍ଭେ ଅଟ ଅଖିଳ ବ୍ରହ୍ମାଣ୍ଡ ସ୍ବାମୀ ରାଜରାଜେଶ୍ଵର
ମୁହିଁ ଅରକ୍ଷିତ ଦୀନଜନ ହୀନ ସୁଅ ମୁହଁର ପତର।
ମୂଢମତି ନରାଧାମ ମୁଁ ଯେ ବିଧର୍ମୀ ପାପିଷ୍ଠ ପତିତ
ନାହିଁ ମୋର ଜାତି ଧର୍ମ ନାହିଁ ପାପ ପୂଣ୍ୟର ପାର୍ଥକ୍ୟ
ପ୍ରାଣ ରକ୍ଷା ଲାଗି ତୁମ୍ଭ ପାଦପଦ୍ମେ ମୁହିଁ ପଶିଛି ଶରଣ
କରିବନି କେବେ ପ୍ରଭୁ ତୁମ୍ଭ ଠାରୁ ମୋତେ ଅପସାରଣ।
ଘୋର ବିଷୟା ମୋହରେ ହୋଇ ଅନ୍ଧ ମୁଁ ନଜାଣଇ ପଥ
କଢାଇ ନେବ ସନ୍ମାର୍ଗରେ ମହାପ୍ରଭୁ ଧରି ମୋର ହାତ
କହିବାକୁ ତୁମ୍ଭର ଭକତ ନାହିଁ ମୋର ତିଳେ ଟାଣପଣ
ଏଇ ଅକିଞ୍ଚନେ କୃପା କରିଥାଅ ସଦା ବହି ତୁମ୍ଭ ବଡପଣ।
ତବ ଆଶିଷ ବିନା ଏ ଜୀବନେ ଆଉ କିଛି ଲୋଡ଼ା ନାହିଁ
ଦୟା ବହି ବାରେ କୃପା କଟାକ୍ଷେ ଚାହିଁ ଦିଅ ଜଗତ ସାଇଁ
ସୁଅ ମୁହଁର ପତର ମୁହିଁ ଯେ ତୁମ୍ଭ ପାଦେ ଆଶ୍ରା କରଇ
ଜୀବ ଯିବା ବେଳେ ମୋତେ ନଦେବ ମହାପ୍ରଭୁ ଭଣ୍ଡେଇ।
କେବେ ଚିନ୍ତି ନାହିଁ ତୁମ୍ଭ ଷାଠିଏ ପଉଟିରେ ବସାଇବି ଭାଗ
ମୋ ଅଭାବୀ ତେଲ ଲୁଣର ସଂସାରରେ ମୁହିଁ ଯେ ସନ୍ତୁଷ୍ଟ
ଶୁଣିଅଛି ତୁମ୍ଭ ମହାପ୍ରସାଦ ଅନ୍ନ ବ୍ରହ୍ମ ଦେବଗଣଙ୍କୁ ଦୁର୍ଲଭ
ସେବାରେ ତାହାର ଜୀବାତ୍ମାର ଭବସାଗରୁ ମୁକ୍ତି ସୁନିଶ୍ଚିତ।
ଯେହେତୁ ମୋହର ଲାଗି ମନା ତୁମ୍ଭ ଶ୍ରୀମନ୍ଦିର ବାଇଶି ପାହଚ୍ଛ
ଲଭି ନାହିଁ ଏ ଜୀବନେ ତୁମ୍ଭ ମହାପ୍ରସାଦ ସେବାର ସୌଭାଗ୍ୟ
ଲଭି ନାହିଁ ଆନନ୍ଦ ବଜାରେ ଛଡ଼ା ତୁଳସୀ ଟଙ୍କ ତୋରାଣିର ସ୍ବାଦ
ସେଇ ଲାଗି ମୋର ମନ ପ୍ରାଣ ଆତ୍ମା ଚିନ୍ତା ଓ ଚୈତନ୍ୟ ସନ୍ତାପିତ।
ଦୁଃଖ ମୁଁ କରୁନି ଭାଗ୍ୟରେ ଲେଖା ନାହିଁ ବୋଲି ଅଭଡାର ସେବା
ଅଳି କରେ ଶ୍ରୀରଙ୍ଗା ପୟରେ ଏ ପତିତର ରଖିବ ଏକ କଥା
ଅନ୍ତିମ ସମୟେ ତୁଣ୍ଡରେ ମୋହର ଦେବ ତୁମ୍ଭର ନିର୍ମାଲ୍ଯ କଣିକା
ତୁମ୍ଭ ରୋଷଘର ବୈଷ୍ଣବାଗ୍ନୀରେ ଜାଳି ଦେବ ମୋର ପୁତ୍ତଳିକା।
ଜନ୍ମ ଜନ୍ମାନ୍ତର ପ୍ରାରବ୍ଧ ପାତକରୁ ମୁହିଁ ଯେ ହୋଇ ଯିବି ମୁକ୍ତ
ଲଭିବି ମୋ ଚିର ଇପ୍ସିତ ଆକାଂକ୍ଷିତ ମହାନିର୍ବାଣ ପରମାର୍ଥ
ଇହ ଲୋକେ ପର ଲୋକେ ଗାଉଥିବି ତୁମ୍ଭ ନାମ ଜଗନ୍ନାଥ
କୃପା କର ମହାପ୍ରଭୁ ତୁମ୍ଭ ଶ୍ରୀଛାମୁରେ ମୁହିଁ ଜଣାଉଛି ଦୁଃଖ।