ସହରୀ ଗାଆଁ...
ସହରୀ ଗାଆଁ...
ଗାଆଁର ସେଇ ବର୍ଷା ଦିନରେ କାଦୁଅ ରାସ୍ତାର ଅନୁଭୂତି,
ବାଟ ବଣା ହେଇଯାଇଛି ଆଜି କଂକ୍ରିଟ ରାସ୍ତାରେ..
ଆଉ ଅନୁଭବ କରି ହଉନି ଜହ୍ନ ଆଲୁଅର ଶୀତଳତା,
ବିଦ୍ୟୁତ୍ ଆଲୋକର ଆଗମନରେ...
ରେଡ଼ିଓ ଶୁଣିବା ବି ସ୍ୱପ୍ନ ହୋଇଗଲାଣି,
ଟିଭି ଆଉ ମୋବାଇଲର ହାଜିରାରେ..
ପିଠା ପଣାର ବାସ୍ନା ବାୟୁମଣ୍ଡଳରେ ହଜିଗଲାଣି,
ପିଜା ଆଉ କେକର ଉପସ୍ଥିତିରେ...
ଗାଆଁର ଭାଗବତ ଘର ବି ପୋତି ହୋଇଗଲାଣି,
କ୍ଳବ୍ ଘରର ଆଧୁନିକତାର ଓଜନରେ,
ଲଙ୍ଗଳ ଯୁଆଳି ଆଉ ଶୋଭା ପାଉନି କାହାର ଚାଳ ଘରେ,
କାଳିଆ କସରା ଯେବେଠୁ କଂସେଇକୁ ବିକ୍ରି ହୋଇଗଲେଣି..
ଆଉ ଦେଖାଯାଉ ନାହିଁ ଭାଇପଣରେ ପଙ୍ଗତ ଚକା ମାଡ଼ି ବସି ଖାଇବା,
ବଫେର ଛୁଆଁରେ ସେଇଟା ବି ଅଛୁଆଁ ହୋଇଗଲାଣି..
ଗୋଠ ଆଉ ଫେରୁନୀ ଗୋଧୂଳି ଲଗନେ ଧୂଳି ଉଡ଼ାଇ,
ଗୁହାଳ ସବୁ ଫାଙ୍କା ଆଜି କାହାର ପାଦ ଚିହ୍ନ ପାଇଁ...
ଝାଟି ମାଟି ଘର ସବୁ ରୂପ ବଦଳେଇ ଦେଲେଣି,
କୋଠା ଘରର ନୂଆ ପୋଷାକ ପିନ୍ଧି....,
ସତେ କଣ ଆମେ ଏତେ ବଦଳି ଗଲେଣି???
ହଁ, ପରା...ଗାଆଁ କଣ ଗାଆଁ ହୋଇ ଅଛି,
ଦେଖୁନ, ଆମ ଗାଆଁ ଆଜି ସହର ସହର ବାସିଲାଣି..!!