Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Inspirational

4  

Sarojini Mishra

Inspirational

ଶ୍ମଶାନ ତୁଳସୀ

ଶ୍ମଶାନ ତୁଳସୀ

2 mins
7



ତୁଳସୀ ମୋ ନାମ ସେବା ମୋର କାମ

ଯେଉଁଠି ବି ରହିଥାଏ

ଗୁଣ ହରାଏନି ହାରି ମୁଁ ଯାଏନି

ମୁଁ ଶ୍ମଶାନ ତୁଳସୀ କହେ ।


ଘର ଅଗଣାରେ ପୂଜିତ ହୁଏ ମୁଁ

ଦୀପ ଜଳଇ ସଂଜରେ

ଗୃହ ବଧୂ ନିତି ମୁଣ୍ଡ ନୁଆଁଇ ଯେ

ଗୃହ ଶୁଭ ଭିକ୍ଷା କରେ ।


ବିଷ୍ଣୁପ୍ରିୟା ହୋଇ ଆଦର ଲଭଇ

ମୋ ବିନା ମଣୋହି ନୁହେଁ

ସଭିଙ୍କର ଯତ୍ନେ ବଢୁଥାଏ ମୁହିଁ

ସେବାରେ ଦିନ ମୋ ଯାଏ ।


ଶରୀର ର ଶୁଭ ମନାସ ପୁରଣ

ଚଉରା ମୂଳରେ ହୁଏ

ଶବ ସଙ୍ଗେ ଯେବେ ଶ୍ମଶାନକୁ ଯାଏ

ଆତ୍ମା କଥା ପୁଣି ଭାବେ |


ଶରୀର ମିଶଇ ଏ ମାଟିରେ ସିନା

ଆତ୍ମା ତ ଅଟେ ଅମର

ମୋତେ ସଙ୍ଗେ ନେଇ ଶ୍ମଶାନେ ଚଳିଲେ

ଆତ୍ମା ପାଏ ଶାନ୍ତି ଘର ।


ଶବ ସଙ୍ଗେ ଯାଇ ଶ୍ମଶାନେ ରହଇ

ମୋ ଠୁ କେତେ ଛୁଆ ଜାତ

ବିନା ଯତ୍ନରେ ବି ବରଷା ଜଳରେ

ଶ୍ମଶାନେ ମୁଁ ହୁଏ ସ୍ଥିତ ।


ଶବ ଜଳିବାର ଧୂଆଁ ପାଖେ ଥାଇ

ପରିବେଶ କରେ ନିରିମଳ 

ମୋର ଉପସ୍ଥିତି ଖୋଲେ ମୋକ୍ଷ ଦ୍ଵାର

ଜୀବର କରେ ମଙ୍ଗଳ ।


ଶ୍ମଶାନକୁ ଯାଇ ବିଷ୍ଣୁଙ୍କୁ ଦୂରେଇ

ରହେ ଭୂତନାଥ ପାଶେ

ଘର ଅଗଣାରୁ ଶ୍ମଶାନ ପର୍ଯ୍ୟନ୍ତ 

ମୋ ଗୁଣକୁ ମୁଁ ନ ନାଶେ ।


ଶ୍ମଶାନରେ ରହି ଜୀବନ ସତ୍ୟକୁ

ଅଙ୍ଗେ ଅଙ୍ଗେ ମୁଁ ନିଭାଏ

ମୋ ପାଖରେ ଯଦି କେବେ ବସି ପଡ଼

ଜାଣିବ ମୁହିଁ ଯେ ସିଏ |


ଶ୍ମଶାନେ ଥାଏ କି ଅଗଣାରେ ଥାଏ

ମୋ ଗୁଣେ ମୁହିଁ ଯେ ସିଦ୍ଧା

କିଏ ମୋତେ ଅବା ପଚାରୁ କି ନାହିଁ

ସବୁ କାଳେ ମୁଁ ବିଶୁଦ୍ଧା |


ଆତ୍ମାକୁ ଦେଖାଏ ମୁକ୍ତିପଥ ମୁହିଁ

ପାର୍ବତୀ ପତିଙ୍କୁ ଭେଟେ

ଶରୀର ସର୍ବସ୍ବ ନୁହଁଇ ଜୀବନ

ଆତ୍ମା ଅଛି ପ୍ରତି ଘଟେ ।


ଦୁଃଖ ହୁଏ ମୋତେ ପୂଜା ପାଇଁ କେହି

ସରାଗରେ ନିଏ ନାହିଁ

ହେଲେ ପ୍ରଭୁ ଙ୍କର ଇଚ୍ଛା ବୋଲି ଭାବି

ଦୁଃଖ ଧରି ରଖେ ନାହିଁ |


ଗୁଣ ହରାଏନି ଅମ୍ଳଜାନ ଦିଏ

ଘରେ ପୁଣି ମଶାଣୀରେ

ସ୍ଥାନ କାଳ ପାତ୍ରେ ବଦଳେନି କେବେ

ମୋ ଗୁଣକୁ ଧରି ରଖେ I


ଅଗଣା ରେ ଥାଇ ସେବା କରେ ମୁହିଁ

ଶ୍ମଶାନେ ବି ସେବା କରେ

ଶ୍ମଶାନ ତୁଳସୀ ହେଲେ କେବେ ମୁହିଁ

ସେବା କାର୍ପଣ୍ୟ ନ କରେ |


ମୋ ଆଖି ଆଗରେ ନିତି ପ୍ରତି ଦେଖେ

ଗର୍ବ, ଅହମିକା ଜଳେ

ଧନୀ ବି ଆସଇ ଗରିବ ଆସଇ

ଖାଲି ହାତେ ପରା ଚ଼ଳେ । 


ଶ୍ମଶାନ ଦିଅଇ ସମତାର ବାର୍ତ୍ତା

ତାକୁ କାନ ପାତି ଶୁଣେ

ଶ୍ମଶାନ ପବିତ୍ର ଭୂମିରେ ରହି ମୁଁ

ନିର୍ମୋହୀ ପଣକୁ ଜାଣେ ।


ଶ୍ମଶାନ ରେ ରହି ଶୁଣେ କାନ ପାତି

ଶବବାହୀ ଙ୍କର କଥା

ଧନ ଦଉଲତ ହିସାବ ନଥାଏ

ଥାଏ ଗୁଣର ବାରତା ।


ଶରୀର ଜଳଇ ଆତ୍ମା ଯେ ବିଦେହୀ

ମୋ ସାନ୍ନିଧ୍ୟେ ଶାନ୍ତି ଲଭେ

ସନ୍ତୋଷ ମିଳଇ ଆତ୍ମିକ ସେବାରେ

ନିଶ୍ଚିନ୍ତେ ପ୍ରଭୁଙ୍କୁ ଭାବେ ।


ଶ୍ମଶାନ ତୁଳସୀ ହେଲେ ହେବି ପଛେ

ଗୁଣ ହରାଇବି ନାହିଁ

ଶ୍ମଶାନେ ରହି ପ୍ରଭୁ ପଦ ଧ୍ୟାୟୀ

ଭାବ ରେ ଯେ ରହିବଇଁ ।


ଶବ ସଙ୍ଗେ ମିଶି ଶିବ ପ୍ରାପ୍ତି ହୁଏ

ମୁଁ ଯେ ନିର୍ବିକାର ହୁଏ

ଶ୍ମଶାନରେ ରହି ଆତ୍ମ ଚ଼ିନ୍ତନର

ମାର୍ଗ ମୁଁ ଦେଖାଇ ଥାଏ l


ମୋ ପତରେ ସେଇ ଔଷଧୀୟ ଗୁଣ

ଏବେ ବି ସଂଚିତ ଅଛି

ଏବେ ବି ନିର୍ଦ୍ବନ୍ଦେ ଅମ୍ଳଜାନ ମୁହିଁ

ପରିବେଶକୁ ଦେଉଛି |


ଶ୍ମଶାନ ତୁଳସୀ ବୋଲି ଦୁଃଖ ନାହିଁ

ସେବା ହେଉ ମୋର ଧର୍ମ

ଶରୀର ହେଉ କି ଆତ୍ମା ସେବା ହେଉ

ସିଏ ମୋ ଜୀବନ ମର୍ମ ।


ଅଗଣା ତୁଳସୀ ସଙ୍ଗେ ମୁଁ ତୁଳନା

କାହିଁକି ଅବା କରିବି

ପ୍ରଭୁ ଙ୍କ ଇଚ୍ଛାକୁ ସମ୍ମାନ ଦେଇ ମୁଁ

ସଂଘର୍ଷ ଯେ କରିଯିବି |


Rate this content
Log in

Similar oriya poem from Inspirational