ଶୀତର ଉଷ୍ମଲୁହ
ଶୀତର ଉଷ୍ମଲୁହ
ଏକ କିଶୋର ବାଳକ
ନୁଖୁରା କେଶରେ ଶୁଖିଲା ମୁହଁରେ
ଭୋକିଲା ପେଟରେ ଥରୁଥିଲା ଶୀତରେ
ଦେହରେ ତାର ହାପ୍ ପ୍ୟାଣ୍ଟ ସହ
ଏକ ଝାଳମିଶା ମାଟିରଙ୍ଗ ଗଞ୍ଜିଜାମା
ପଚାରିବାରୁ କହିଲା ସେ ନା' ତାର ରାମା ।
ବାପା ରିକ୍ସାଚାଳକ ରହେ ସେ ବସ୍ତିରେ
ପରିଶ୍ରମ ତାର ହାଡଭଙ୍ଗା
ହେଲେ ଚଳାଇପାରେନି ତା'ର ଘର
ପରିସ୍ଥିତି ନଦୀରେ ଟଳମଳ ସଦା ସଂସାର ଡଙ୍ଗା
କହିଲା ପିଲାଟି କୋହମିଶା କ୍ରୋଧେ
ମୋ' ବା' କହେ ମଦ ଶସ୍ତା
ଚାଉଳ ଡ଼ାଲି ତେଲ ଲୁଣ ମହଙ୍ଗା ।
ଘରେ ସାନ ଭଉଣୀ ଚତୁର୍ଥ ଶ୍ରେଣୀରେ ପଢେ
ବୋଉ ତା' ପାଇଁ ମନରେ ସପନ ଗଢେ
ବହିବସ୍ତାନୀ ମୋ' ଘରେ ବୁଜୁଳାରେ ବନ୍ଧା
ପାଠ କଥାରେ ମୋ' ବା' ବହୁତ ଚିଡ଼େ
ଖେଳବୁଲା ବହିର ସମୟ ଇଏ
ପୁଅଟି ସୁଖ ଛାଡ଼ି ମା' ଭଉଣୀ ପାଇଁ
ପ୍ରତିଦିନ ଘରୁ ପାଦ କାଢେ ।
ଦୟା ତାକୁ ନୁହେଁ ପସନ୍ଦ
ଯେତେବେଳେ ଯୋଉ କାମ ମିଳେ
ପରିଶ୍ରମ କରେ ତା'ପରେ ଟଙ୍କା ହାତରେ ଧରେ
ଡ଼ରେନି ଶୀତ ଖରା ବରଷା
କାହିଁ କେବେ ହୋଇନି ତ ଜ୍ୱର ଅବା କିଛି
ବୋଧହୁଏ ଈଶ୍ବର ଆଶିଷ କାରଣ
ଓ ମା'ର ଆଶା ସପନ ଭରସା ।
କେହି ଜଣେ ତାର ମଥାରେ ଦେଇ ହାତ
ବାବୁରେ ଏମିତି ସଂଘର୍ଷ ଚାଲୁ ରଖେ
ତୋ' ସାଥେ ଅଛନ୍ତି ଶ୍ରୀଜଗନ୍ନାଥ
ନିଜ ଗୋଡ଼େ ନିଜେ ଚାଲିବୁ
ଅଜାଣତେ ରାମା ର ଆଖିରୁ
ଝରିଗଲା ଟପଟପ୍ ଉଷ୍ମଲୁହ
ଅନେକ ଦିନର ଛାତିର କୋହବନ୍ଧ ଭାଙ୍ଗି
ଆଜି ସତେ ଆହୁରି ହେଲା ତାର ମନଶକ୍ତ ।
ବାଧ୍ଯ କରେ ତାକୁ ହସିବାର ପରିବାର ମୋହ
ଅଟକାଇପାରେନି ସେ କୋହ
କିଛି ଟଙ୍କା ଦେଇ କହିଲେ ଭଦ୍ର ଲୋକ
ଦୟା ନୁହେଁ ଉଧାର ଦେଉଛି ରଖ
ବଡ଼ ମଣିଷ ତୁ ଦିନେ ହେବୁ
ଠିକଣା ରଖେ ମୋତେ ଶୁଝିଦେବୁ
ରାମା ସମ୍ମାନ ଦେଇ ସେ ମଣିଷଙ୍କୁ
ଟଙ୍କା ହାତରେ ଧରିଲା
ଲୁହ ପୋଛିଦେଇ କାମ ସାରି
ସ୍ୱପ୍ନ ନେଇ ଥରିଥରି ନିଜ ଘରକୁ ଫେରିଲା।