STORYMIRROR

Mishra Manasi

Inspirational

3  

Mishra Manasi

Inspirational

ଶୀତ

ଶୀତ

1 min
212


ହିମ ଶିରିଶିରି

କାକର ମୁକୁତା

  ଗଛ ପତରରୁ ଝରିଲା

ଶୀତୁଆ ସମୀରେ

ସକାଳୁ ସୁରୁଜ

  ସୁନେଲି ମୁରୁଜ ବୁଣିଲା ।1

ଗେଣ୍ଡୁ ବଣମଲ୍ଲୀ

ସେବତୀ ଶେଫାଳୀ

  ହରଷରେ ଫୁଟି ବାସିଲା

ପଦୁଅଁବନରେ

ଶିଶିର ଦଂଶିଲା

ପଦ୍ମିନୀ ବିରସ ଦିଶିଲା ।2।

ଦେଵ ଦୀପାବଳୀ

ମାଆ ଶ୍ୟାମାକାଳୀ

  ବାରଷିକ ପୂଜା ସରିଲା

ଜଗତ କଲ୍ୟାଣ

ବାଂଛି ଦୟାମୟୀ

  ମହୀରୁ ମେଲାଣି ମାଗିଲା ।3।

ଶୀତ ବୁଢ଼ୀ ଚଢି

କୁହୁଡି ସଵାରୀ

  କାର୍ତ୍ତିକ ଶେଷରେ ଆସିଲା

ନାନଜାତି ଫଳ

ବାଡିବଗିଚା ଟି ହସିଲା ।4।

ଶିବ ଚତୁର୍ଦ୍ଦଶୀ

ବଡ ଓଷା ପାଳି

ଓଡ଼ିଆ ଧରମ ସଞ୍ଚିଲା

କାର୍ତ୍ତିକ ପୁନେଇଁ

ବୋଇତ ବନ୍ଦାଣେ

   ପୂରୁବ କିରତୀ ହେଜିଲା ।5।

ଅ କା ମା ବ ଇ

ପାନ ଗୁଆ ଥୋଇ

 ସଂସ୍କୃତି ସଙ୍ଗୀତ ଗାଇଲା

ପୂଣ୍ୟ ନଦୀଜଳେ

ଡଙ୍ଗା କୁ ଭସାଇ

  ଆମ ପରମ୍ପରା ବାହିଲା ।6।

ଧରମ କାର୍ତ୍ତିକ

ମାସରେ ପଞ୍ଚୁକ

   ଛଅ ଦିନ ଯେବେ ପଡିଲା

ମୋ ଚକାଡୋଳିଆ

ଭାବ ବିନୋଦିଆ

  ନାଗାର୍ଜୁନ ବେଶ ଧରିଲା ।7

ହରିଦ୍ରା ବାସନା

ସୋରିଷ ଫୁଲରେ

  ଧରଣୀ ସୁବେଶ ହୋଇଲା

ଲକ୍ଷ୍ମୀ ଠାକୁରାଣୀ

ଆସିବେ ଧରା କୁ

ସୁନା ଧାନ କ୍ଷେତ ହସିଲା ।8।ମଗୁଶୀର ମାଣ

ଝୋଟି ମୁରୁଜରେ

ଦୁଆର ଝଲସି ଉଠିଲା

ମାଆ ହାତଲେଖା

ପାଦ ପଦୁଅଁରେ

   ଲକ୍ଷ୍ମୀ ମାଆ ମନ ତୋଷିଲା ।9।

ପୋଢୁଆଁ ଅଷ୍ଟମୀ

ହଳଦୀ ପତର

  ପିଠାର ମହକ ଛୁଟିଲା

ଛେନାପୁର ଦିଆ

 କଅଁଳ ଏଣ୍ଡୁରି

  ସୁଆଦରେ ପେଟ ପୁରିଲା ।10

ଶୀତ ଥୁରୁଥୁରୁ

ପଉଷ ସକାଳୁ

କୃଷକ ବିଲକୁ ଗଡ଼ିଲା

ହାତେଧରି ଦାଆ

ହରଷ ମନରେ

  ଫସଲ ଅମଳ କରିଲା ।11।

ରେଜେଇ କମ୍ବଳ

ଶୀତ ପରିଧାନ

  ବାକସରୁ କଢା ହୋଇଲା

ଅଭାବୀ ମଣିଷ

କାଠିକୁଟା ଥୋଇ

ଧୁନି ଜାଳି ନିଆଁ ପୋଇଲା ।12।

ଧନୀ ପାଇଁ ଶୀତ

ଅସରା ସପନ

  ସୁଖଭରା ନିଦ ଶୋଇଲା

ମଞ୍ଜଥରା ଜାଡେ

ଜୀବିକା ସନ୍ଧାନେ

 ଗରିବ ନିଇତି ଧାଇଁଲା ।13।

ସୁଖ ପରେ ଦୁଃଖ

ଦୁଃଖ ପରେ ସୁଖ

  ବିଧାତା ସଂସାର ଗଢିଲା

ପ୍ରକୃତି ଅଙ୍ଗରେ

  ଯଥା ଯଥାକ୍ରମେ

   ୠତୁ ଚକର କୁ ଖଞ୍ଜିଲା ।14 ।


Rate this content
Log in

Similar oriya poem from Inspirational