ଶୀତ ରାତି
ଶୀତ ରାତି
ହେମନ୍ତ ର ଶେଷେ ଶୀତ ଆସିଅଛି
ଚିରାଚରିତ ଢଙ୍ଗରେ
ହେମନ୍ତ କୁ ଅନୁଭବି ହେଲା ନାହିଁ
ଶୀତ ତା ବାରତା ଦିଏ ।
ସୁରୁଜ ଦେବତା ତରବର ହୋଇ
ମାଆ କୋଳେ ଚାଲି ଯାନ୍ତି
ଶୀତର ପରଶ ପ୍ରକୃତି ରାଣୀକୁ
ଛୁଇଁ ଛୁଇଁ ଯାଉ ଥାଇ ।
ଶୀତର ସନ୍ଧ୍ୟାଟି ନୂଆଣିଆ ଚାଳେ
ପରଶ ଦେଇ ଯେ ଯାଏ
କହିଯାଏ ସିଏ ଜାଡ଼ ମାଡ଼ କଥା
ରାତିରେ ଥଣ୍ଡା ବରଷେ ।
ଶୀତ ରାତି ଆସେ ନୂଆଣିଆ ଚାଳେ
ଘରେ ଯେ କନ୍ଥା କତରା
ଶୀତ ରାତିରେ ଯେ କା କାନି ପଣତ
ହୋଇଯାଏ ଯେ ଆସରା ।
ଶୀତ ରାତି ଆସେ ଜନଜାତି ମେଳେ
କାଠ ନିଆଁର ଝଲକେ
ଶୀତ ରାତି ଆସେ ପାଗଳା ପାଖକୁ
ହିମ ବରଷା ସାଥିରେ ।
ଶୀତ ରାତି ଆସେ ବୁଢା ବୁଢୀଙ୍କର
ଅସହ୍ୟ ଯନ୍ତ୍ରଣା ନେଇ
ଶୀତ ରାତି ଆସେ ଫୁଙ୍ଗୁଳା ଦେହକୁ
କଷ୍ଟ ଦେଇ ଯିବା ପାଇଁ ।
ଶୀତ ରାତି ଆସେ ରାସ୍ତା ଧାରେ ପୁଣି
ଛିଣ୍ଡା କମ୍ୱଳ ଉହାଡ଼େ
ଗୋଟେ ପଟେ ଟାଣି ଧରିଲା ବେଳକୁ
ଆରପଟେ ହେମ ପଶେ ।
ଶୀତ ରାତି ଆସେ ଚାଷୀ ର ଖଳାରେ
ବେଙ୍ଗଳା ମେଢିରେ ଘୁରେ
ସୁନାର ଫସଲ ଘରେ ନେବା ପାଇଁ
ବ୍ୟଗ୍ର ହୋଇ ଉଠୁଥାଏ |
ଶୀତ ରାତି ଆସେ ଧୁନୀ ଜଳା ନେଇ
ଧୂନୀ ଚାରିପଟ ଭିଡ଼
ଶୀତର ରାତି ରେ ଗାଁରେ ଗାଁରେ
ସଅଳ ପଡ଼େ କବାଟ ।
ଶୀତ ରାତି ପୁଣି ଆସେ ହସି ହସି
ତୁଳି ତଳ୍ପ ଶେଯ ଧାରେ
କମ୍ବଳ ରେଜାଇ ସହ ଶୀତ ରାତି
ଆରାମ ଯେ ଖୋଜୁଥାଏ ।
ଶୀତ ରାତି ଆସେ ସୁଆଦିଆ ଖାଦ୍ୟେ
ପେଟ ତୋଷ କରିବାରେ
ଶୀତ ରାତି ପୁଣି ଜମା ଛାଡ଼େ ନାହିଁ
କମ୍ବଳ ଯେ ଟାଣୁ ଥାଏ ।
ତୁଳି ତଳ୍ପ ଶେଜୁ ଉଠିବାର ଇଚ୍ଛା
ମୁହଁ ମୋଡ଼ି ହେଉ ଥାଏ
କୃଷକ ବାପୁଡ଼ା ବଡ଼ି ଭୋଅର ରୁ
କାମରେ ବାହାରି ଯାଏ ।
ଶୀତ ରାତି ଆସେ କୁକୁର ବୋବାଳି
ବିଲେଇର କଲବଲେ
ବୁଲା କୁକୁର ଯେ କେତେ ହନ୍ତସନ୍ତ
ବିଲେଇ ପାଉଁଶ ଖୋଜେ ।
ଶୀତ ରାତି ଆସେ ଦେହକୁ ଥରାଇ
କେଉଁଠି ଛିଣ୍ଡା କନ୍ଥା ରେ
କେଉଁଠି ରେଶମ ପଶମ ପୋଷାକେ
କେଉଁଠି ଛିଣ୍ଡା ଜାମାରେ ।
ଶୀତ ରାତି ଆସେ ପତରେ ପତରେ
ଅସରା କାକର ନେଇ
ସକାଳୁ ସକାଳୁ ଘାସ ଗାଲିଚା ରେ
ଶିଶିର ମୁକ୍ତା ଶୋଭଇ ।
ଶୀତ ରାତି ଦେଖି ରୁଷନ୍ତି ଫୁଲ ଏ
ଟଗର ଗଛ ଯେ ଶୂନ୍ୟ
ଗାଁ ଫୁଲ ଗଛ ସବୁଜ ପତରେ
ରହିଅଛି ଯେ ମଉନ ।
ଶୀତ ଆଣିଥାଏ ଖାଦ୍ୟ ର ସମ୍ଭାର
ସବୁଜ ବିପଣୀ ଭରା
ଶୀତ ରାତି ଅଟେ କା' ପାଇଁ ଆରାମ
କା' ପାଇଁ ଯେ କଷ୍ଟ ଭରା ।