ଶେଷ ଫଗୁଣର ଚିଠି
ଶେଷ ଫଗୁଣର ଚିଠି
ଶେଷ ଫଗୁଣର ଚିଠି ଅପେକ୍ଷାରେ
ଦିନ ରାତି ଯାଏ ବିତି,
ମାସ ପରେ ମାସ ବିତିଗଲା ପରେ
ମନରେ ଆସେ ମୋ'ଭୀତି ।
ତମ କଥା ସିନା ଭାଳେ ଏକା ଏକା
ତମେ ତ ଯାଇଛ ରୁଷି,
ପ୍ରତୀକ୍ଷାର ଅନ୍ତ କରିବ ବସନ୍ତ
ଅପେକ୍ଷା ତମର ଚିଠି ।
ତମ ଚିଠି ପାଇଁ ନିତିନିତି ପ୍ରିୟା
ଧାଏଁ ଡାକଘର ଯାଏଁ,
ଅଲକ୍ଷ୍ୟରେ ମୋର ସମୟ ସରେ
ଆକାଶରେ ତାରା ଉଏଁ ।
ସନ୍ଧ୍ୟା ଦୀପ ଜାଳି ଦିଏ ହୁଳହୁଳି
ଅଗଣାରେ କୁଳବଧୂ
ଢାଇଁଢାଇଁ ଘଣ୍ଟ ଶୁଭେ ମନ୍ଦିରରେ
ତମ କଥା ଭାବୁ ଭାବୁ ।
ଘନ ଅନ୍ଧାରରେ ବୁକୁ ଚିରି ଯାଏ
ନିଃଶବ୍ଦ ହୁଏ ସହର,
ଗାଆଁ ମୁଣ୍ଡର ଦଦରା ଚାଳରେ
ଆଶ୍ରିତ ମୁଁ ଯାଯାବର ।
ନୀରବେ ଜାଳିଛି ଡିବିରି ଆଲୋକ
ଶବ ମୋ' ପଡିବ ଉଠି,
ଆଶା ଭରସାର ପ୍ରୀତି ସମ୍ଭାବନା
ଶେଷ ଫଗୁଣର ଚିଠି ।
ସେଇ ଚିଠି ପଢି ନିଘୋଡ଼ ନିଦରେ
ଶୋଇଯିବି ପ୍ରାଣପ୍ରିୟା,
ଶେଷ ଫଗୁଣର ଚିଠି ହିଁ ଭରସା
ଉତଜୀବିତ କରେ ହିଆ ।