ଶୈଶବର ସ୍ମୃତି
ଶୈଶବର ସ୍ମୃତି
ଖରାଦିନ ଆସିଲେ
ଉଭୁରି ଆସେ ଶୈଶବ ର ସ୍ମୃତି
ଖରାକୁ ବାହାରିବା ପୂର୍ବରୁ
ବୋଉ, ବାପାଙ୍କ ଗାମୁଛା ଓଦାକରି
ପକେଇ ଦିଏ ମୁଣ୍ଡରେ
ବର୍ଷା ଦିନ ଆସିଲେ
ଭସା ବାଦଲରେ ଥୋଳା ଥୋଳା ହୋଇ
ଘୁରି ବୁଲନ୍ତି ପବନରେ ଶୈଶବ ର ସ୍ମୃତି
ମାଟି କାଦୁଅ ପଚ ପଚ ଗାଁ ଦାଣ୍ଡ
ବର୍ଷାରେ ଓଦାହୋଇ କାଗଜ ଡଙ୍ଗା ଭସାଇବାର
ସାଙ୍ଗ ସାଥୀ ମେଳର ଅଭୁଲା ସେ ସ୍ମୃତି ।
ଶୀତ ଦିନ ଆସିଲେ
ମନେପଡେ ଶୈଶବ ସକାଳ
ବୋଉର ଉଷୁମ କୋଳ, ରେଜେଇ ତଳ
ବୋଉ ରୋଷେଇ କଲାବେଳେ
ଜାକି ଜୁକି ହୋଇ ପଶିଯାଏ ତା'କାନି ତଳେ ।
ଋତୁ ଅନୁସାରେ
ସମୟ ବଦଳେ ସିନା
ଶୈଶବ ଯାଇ ଆସଇ ଯୌବନ
ଭୟ ମନରେ ଆଛନ୍ନ
ବୋଉ କିନ୍ତୁ କେବେ ବଦଳେନା
ଖାଲି ଯାହାଶ ଆମେ ସବୁ ବଦଳି ଯାଉ
ତୋର ମୋର ଭାବନା ଭିତରେ ଛନ୍ଦିହୋଇ
କିନ୍ତୁ ସବୁଦିନ ପାଇଁ ସ୍ମୃତି ହୋଇ ରହିଯାଇଥାଏ
ଶୈଶବ ର ଅମୃତ ଛୁଆଁ ସପ୍ତରଙ୍ଗରେ ରଙ୍ଗୀନ୍ ସେ ମନ ।