ଶାରଦୀୟ ଦୁର୍ଗା ପୂଜା
ଶାରଦୀୟ ଦୁର୍ଗା ପୂଜା
ସତ୍ୟଯୁଗେ ତପବଳେ ମାତିଲେ ଅସୁର
ତିନିଲୋକେ ପାଦୁର୍ଭାବ ବଢିଲା ତାଙ୍କର ॥
ବ୍ରହ୍ମା ବରେ ବଳିଆନ ମହିଷା ଅସୁର
ଦେବତାଙ୍କୁ କରିଥିଲା ସେହି ହରବର ॥
ବ୍ରହ୍ମାବିଷ୍ଣୁ ଶିବଶକ୍ତି ହୋଇଲା ନାଚାର
ରାକ୍ଷସଙ୍କୁ ବଧିବାକୁ ପଡିଲା ବିଚାର ॥
ସର୍ବ ଦେବେ କରିଥିଲା ଉପାୟ ବାହାର
ଆଦ୍ୟାଶକ୍ତି ଜନନୀଙ୍କ କଲେ ଉପଚାର ॥
ଅଯୋନୀ ସମ୍ଭୁତା ଯଜ୍ଞୁ ହୋଇଲେ ବାହାର
ପୂଜିଲେ ସଭିଏଁ ମିଶି ତାଙ୍କ ଶ୍ରୀପୟର ॥
ପଶୁରାଜକୁ ବାହନ କରିଲେ ତାଙ୍କର
ସର୍ବଦେବେ ପ୍ରଦାନିଲେ ଆୟୁଧ ନିଜର ॥
ଶଙ୍ଖଚକ୍ର ଗଦାପଦ୍ମ ତ୍ରିଶୂଳ ଓ ତୀର
ବଜ୍ର ସର୍ପ ଲେଲିହାନ ଅଗ୍ନି ହସ୍ତେ ଯାର ॥
ଅପରୂପା ମାଆ ରୂପ ସୌନ୍ଦର୍ଯ୍ୟ ଭଣ୍ଡାର
ଯୁଦ୍ଧେ ମୋହିତ କରି ସେ ବଧିଲେ ଅସୁର ॥
ମହାମାୟା ଦଶବିଦ୍ୟା ରୂପେ ଅବତାର
ଧରାପୃଷ୍ଠେ କରିଗଲେ ଲୀଳା ଯା ଅପାର ॥
ମହାଗୌରୀ କାଳୀ ତାରା ଷୋଡଶୀ ଭୈରବୀ
ଭୁବନେଶ୍ୱ
ରୀ ମାତଙ୍ଗୀ ଛିନ୍ନମସ୍ତା ଗୋରୀ ॥
କମଳା କାପାଳୀ ଶିବା ଦୁର୍ଗା ମହାଲକ୍ଷ୍ମୀ
ଧୂମାବତୀ ସେ ଭବାନୀ ସେ ବଗଳାମୁଖୀ ॥
ଦୁର୍ଗତିନାଶିନୀ ମାଆ ଶଙ୍କଟ ହରନ୍ତି
ନବରାତ୍ରେ ନବ ରୂପେ ପୂଜା ପାଇଥାନ୍ତି ॥
ଅପରାଜିତା ଦଶମୀ ଦଶହରା ନାମେ
ବିଜୟାଦଶମୀ ସେହି ପରିଚିତ ଧାମେ ॥
ନବଦିନାତ୍ମକ ଯାତ୍ରେ ରାକ୍ଷସ ବଧିଲେ
ମଧୁ କୈଟବ ମହିଷା ଚଣ୍ଡ ମୁଣ୍ଡ ଗଲେ ॥
ଶୁମ୍ଭ ନିଶୁମ୍ଭ ସହିତେ ରକ୍ତବୀର୍ଯ୍ୟ ଧୂମ୍ର
ଦୁର୍ଗମ ଅସୁର ନାଶୀ ହେଲା ଦୁର୍ଗା ନାମ ॥
ଖଣ୍ଡା ଖର୍ପର ଧାରିଣୀ ମାଆଲୋ ଭବାନୀ
ଦୁଷ୍ଟ ନାଶୀ ସନ୍ଥ ପାଳୁ ଜଗତ ତାରିଣୀ ॥
ମାନବ ଦାନବ ସାଜେ ପ୍ରତିଦିନେ ଆଜି
ଅନ୍ୟାୟ ଦୁର୍ନୀତି ବଢେ ଭୟଙ୍କର ସାଜି ॥
ପ୍ରତି ଶରତେ ମରତେ ଆବିର୍ଭାବ ହୋଇ
ପାପୀଙ୍କୁ ବିନାଶୀ ଧର୍ମ ସଂସ୍ଥାପିବୁ ତୁହି ॥
ସୁନ୍ଦର ତୋ ସୃଷ୍ଟି ମାଆ ତା ମାନ ରଖିବୁ
କୃପା କରି କୃପାମୟୀ ଜଗତ ତାରିବୁ ॥