ଶାପ ମୁକ୍ତ ବିଧାନ
ଶାପ ମୁକ୍ତ ବିଧାନ
ମାତା ଯଶୋଦାଙ୍କ କୋମଳ ହୃଦୟ
କାହ୍ନା କୁ ସହଜେ ଜଣା
ଦୁଷ୍ଟାମୀ,ଅଝଟ, ଅଳି ଓ ଅର୍ଦ୍ଦଳୀ
ନିତି ଦିନିଆ ଘଟଣା
ଯଶୋଦା ମାତାଙ୍କୁ କରିଲେ ବିରକ୍ତି
ଭୋକର ଆଳ ଦେଖାଇ
ଘର ଜଞ୍ଜାଳରେ ବ୍ୟସ୍ତ ଥାଇ ମାତା
ଆଶ୍ଵସନା ଦେଲେ ତହିଁ
ତଥାପି କହ୍ନେଇ ହୋଇଲେ ଅଝଟ
ନ ଶୁଣିଲେ ମାତା କଥା
ଘର ଭିତରେ ହିଁ କଲେ ଭଙ୍ଗାରୁଜା
ମାତା ମନ କ୍ରମେ ବ୍ୟଥା
ଉଖଳ ସହିତ କାହ୍ନାକୁ ବାନ୍ଧିବା
ମନରେ ଚିନ୍ତିଲେ ମାତ
ଘରେ ଥିବା ରଜ୍ଜୁ ହୋଇଲା ନିଅଣ୍ଟ
ମାତା ହେଲେ ଆଶ୍ଚମ୍ବିତ
କହ୍ନେଇ ଜାଣିଲେ ମାତା ମନ କଥା
ମୁଚୁକୁନ୍ଦ ହସ ହସି
ନିଜେ ନିଜେ ତହିଁ ହୋଇଗଲେ ବାନ୍ଧି
ମାତା ଦେଖୁଥିଲେ ବସି
ଅନ୍ୟ କିଛି କାର୍ଯ୍ୟ ସମ୍ପାଦନ ଧାରେ
ଯଶୋଦା ମାତାଙ୍କ ବ୍ୟସ୍ତ
ହଟିଆ ନଟିଆ ବାଳ କୃଷ୍ଣ ତହୁଁ
ନାଟକ କଲେ ତ୍ୱରିତ
ଘର ପାଖେ ଥିବା ଦୁଇ ବୃକ୍ଷ ମଧ୍ୟେ
ରଖିଲେ ସେହି ଉଖଳ
ଟାଣିଲେ ଉଖଳ ଉପୁଡ଼ିଲା ବୃକ୍ଷ
ହେଲା ଶଦ୍ଦ ବିକଟାଳ
ଶାପ ମ
ୁକ୍ତ ଦୁଇ ଭାଇ ହେଲେ ଉଭା
ବାଳୁତ କାହ୍ନା ଆଗରେ
ପ୍ରଣିପାତ ସହ ବଖାଣିଲେ ସତ୍ୟ
ଶାପ ଥିଲା କି' ପ୍ରକାରେ
ନଳକୁବେର ର ଭାଇ ମଣିଗ୍ରୀବ
କୁବେରଙ୍କ ଦୁଇ ପୁତ୍ର
ସୁରା ପାନ ସହ ଯୁବତୀ ସଙ୍ଗତେ
ଭୁଲି ଥିଲେ ହିତାହିତ
ଏକଦା ଉଲଗ୍ନ ଥିଲେ ଜଳ ମଧ୍ୟେ
ମଦ ମତ୍ତ ଅବସ୍ଥାରେ
ସେ ଦୃଶ୍ୟ ଦେଖିଲେ ନାରଦ ମହର୍ଷି
ନିଜ ଯାତ୍ରା ପଥ ଧାରେ
କ୍ରୋଧିତ ମହର୍ଷି ଅଭିଶାପ ବଳେ
ଜନ୍ମିଲେ ବୃକ୍ଷ ରୂପରେ
ଦ୍ଵାପର ଯୁଗରେ ନନ୍ଦ ଅଗଣାରେ
ଯାମଳାର୍ଜ୍ଜୁନ ନାମରେ
ମୁକ୍ତିର ଉପାୟ କୃଷ୍ଣ ଅବତାରେ
ସ୍ୱୟଂ କୃଷ୍ଣଙ୍କ ସ୍ପର୍ଶରେ
କାଳ କ୍ରମେ ତାହା ହେଲା ସମ୍ପାଦନ
ଯାତ୍ରା କଲେ ନିଜ ପୁରେ
ଗୋପ ନଗରରେ ଚର୍ଚ୍ଚାର ବିଷୟ
ଯାମଳାର୍ଜ୍ଜୁନ ଭଞ୍ଜନ
କୋଳାଗ୍ରତ କରି କହନ୍ତି ଯଶୋଦା
କାହ୍ନା ମୋ ଜୀବନ-ଧନ
ମନେ ମନେ ଭାଳି ହେଉଛନ୍ତି ମାତା
ସପତ ବ୍ରହ୍ମାଣ୍ଡ କଥା
ପ୍ରତି ଟି ଦୁଷ୍ଟାମୀ ସହିତ କାହ୍ନାର
ସୃଷ୍ଟି ହୁଏ ନୂଆ ଗାଥା