ସବୁଠୁଁ ସୁନ୍ଦର
ସବୁଠୁଁ ସୁନ୍ଦର
ସବୁଠୁଁ ସୁନ୍ଦର କହିବା ତାହାକୁ
ଯା ମନ ପ୍ରେମଓ କରୁଣା ଭରା,
ବଚନ ତାହାର ଅମୃତ ସମାନ
ଆହାକି ମାଧୁର୍ଯ୍ୟ ଶୁଭଇ ପରା l
ରୂପ ବଡ଼ ନୁହେଁ ଜୀବନେ କେବେବି
ହୃଦୟସବୁଠୁଁ ବଡ଼ ଅଟଇ,
ସେଇ ମନଟିକୁ ସୁନ୍ଦର କହିବା
ଯହିଁ ମମତାର ଫଲ୍ଗୁ ଛୁଟଇ l
ରୂପ ଟି ଆମର ଦୁଇଦିନିଆ ଯେ
ଆଜି ଅଛି କାଲି ରହିବ ନାହିଁ,
ବୟସ କ୍ରମରେ ବଦଳିଥାଏ ସେ
ବୟସ ବଢିଲେ ରହେ ସେ କାହିଁ ?
ଆଖିରେ ପ୍ରକୃତ ସୁନ୍ଦର ଦିଶେନି
ହୃଦୟ ତାହାକୁ ପରଖି ନିଏ,
ମନର ଭାବନା ପଢ଼ିପାରେ ଯିଏ
ସହଜେ ତାହାକୁ ସେ ଜାଣିଯାଏ l
ଆମ ପ୍ରଭୁ ସ୍ୱୟଂ ଜଗନ୍ନାଥ ନିଜେ
ସୌନ୍ଦର୍ଯ୍ୟ ର ପାରାବାରଅଟନ୍ତି,
ଆଖିରେ ତାଙ୍କର ଭକ୍ତ ମାନ ଙ୍କର
ହୃଦୟକୁ ପରା ପଢି ପାରନ୍ତି l
ପାଦ ପାଣି ନାହିଁ ସଂସାର ବୁଲନ୍ତି
ଭକ୍ତର ଭାବକୁ ସହଜେ ବୁଝି,
କରୁଣା ନିଦାନ ଭକ୍ତର ମଥାରେ
ଦିଅନ୍ତି ତାଙ୍କରି ଆଶିଷ ସିଞ୍ଚି l
ଚକାନୟନ କୁ ହସଟି ସୁନ୍ଦର
ପ୍ରେମରେ ବଶତା ସାରା ଜଗତ,
ଆଖିରେ ଆଖିକୁ ମିଶାଇଲେ ଥରେ
ସଂସାର ଭୁଲନ୍ତି ସବୁ ଭକତ l
ମାଆ କୁ ଦିଶଇ ତାପିଲା ସୁନ୍ଦର
ପିଲାର ଆଖିରେ ମାଆ ଟି ତାର,
ସ୍ନେହ ଓ ପ୍ରେମର ବନ୍ଧନେ ଯେ ଥାଏ
ତା ଲାଗି ସଂସାର ସାରା ସୁନ୍ଦର l
ରୂପରେ ଗୁରୁତ୍ୱ ନଦେଇ କେବେବି
ମନଟିକୁଯଦି ରଖିବା ପୂତ,
ସବୁର ସୌନ୍ଦର୍ଯ୍ୟ ବଢିଯାଇଥାଏ
ଦିଶଇ ଜଗତ ଚାରୁ କେମନ୍ତ l
