ସବୁଜ ବଳୟ
ସବୁଜ ବଳୟ


ସବୁଠି ସବୁଜିମା
ହରିତ୍ କଣିକାର ଆଲୋଡନ
ଦିଗନ୍ତ ବିସ୍ତାରି ସବୁଜ ଦିଗବଳୟ।।
ନିଶ୍ୱାସରୁ ପ୍ରଶ୍ୱାସ ଯାଏ ବ୍ୟାସାର୍ଦ୍ଧ ନେଇ
ପ୍ରାଣସତ୍ତାର ମଧ୍ୟ ବିନ୍ଦୁକୁ କେନ୍ଦ୍ର କରି
ପିଣ୍ଡରୁ ବ୍ରହ୍ମାଣ୍ଡ ପର୍ଯ୍ୟନ୍ତ ଆଙ୍କିବାର ଅଛି
ହୃତସ୍ପନ୍ଦନର ଗତିରୁ ନିର୍ଗତ ଶବ୍ଦ ଝଙ୍କାରର
ଏକ ସବୁଜ ବଳୟ.........
ଯେଉଁଠି ପରିସ୍ଫୁଟ ହେଉଥିବ କେବଳ
ବଞ୍ଚିବା ଓ ବଞ୍ଚେଇବାର ପ୍ରତିଶୃତି
ଜିତିବା ଏବଂ ଜିତେଇବାର ଇଚ୍ଛା
ଅଧିକାର ସାବ୍ୟସ୍ତ ଓ
କର୍ତ୍ତବ୍ୟ ସମ୍ପାଦନ କରିବାର
ଅଦମ୍ୟ ପ୍ରଚେଷ୍ଟା ତଥା
ନିର୍ବାକ ବୃକ୍ଷ ସମୁହରେ ଭରିଦେବା
ଚିର ସବୁଜିମା ହରିତ୍ କଣିକା
ଏବଂ ଶିଖିନେବା ବଞ୍ଚିବାର ମୂଲ୍ୟବୋଧ
ସେହି ନିରବ ଆଶ୍ରୟଦାୟକ
ନିରୀହ ଉଦ୍ଭିଦମାନଙ୍କ ଠାରୁ।।
ପାର୍ଥିବତା ଅବଶମ୍ଭାବୀ
ଅସ୍ଥିରତା ନିଶ୍ଚିତ
ଭୂମଣ୍ଡଳ ଶବ୍ଦାୟିତ
କୋଳାହଳ ପୂର୍ଣ ଜନରବ
ଚଳ ଚଞ୍ଚଳ ମନ ପ୍ରାଣ
ପରିବର୍ତ୍ତିତ ରୂପରେଖ
ଭାରସାମ୍ୟ ହୀନ କର୍ମ ତତ୍ପରତା
ଅସାମଞ୍ଜସ୍ୟ ଚିନ୍ତା ଓ ଚେତନା
ପ୍ରଲୋଭିତ ଜିବ ସତ୍ତା
ବିଧ୍ୱଂସକାରୀ ଅସ୍ତ୍ରଶସ୍ତ୍ର ତଥା
ବିଷମୟ ରାସାୟନିକ ପଦାର୍ଥ।।
ଜୀବନ ଓ ଜୀବିକାର ପ୍ରୋତ୍ସାହନ
ଏ ସବୁଜ ବଳୟ କେମିତି ବଞ୍ଚିବ???
କେଇ କ୍ଷଣ ପରେ ହେବ ଧ୍ୱଂସ
ବଞ୍ଚିବାର ଥିଲେ ତିଳେ ମାତ୍ର ଆଶ
ଏ ସବୁଜ ଦୁନିଆକୁ ବଞ୍ଚେଇ ରଖ।।