Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Manoj Maharana

Inspirational

4.0  

Manoj Maharana

Inspirational

ସାଙ୍ଗ...

ସାଙ୍ଗ...

4 mins
184



ମୁଁ ସେମାନଙ୍କୁ ସାଙ୍ଗ ବୋଲି ଡ଼ାକେନି

ମୁଁ ସେମାନଙ୍କୁ ବନ୍ଧୁ ବୋଲି ବି ଡ଼ାକେନି

ମୁଁ ସେମାନଙ୍କୁ ମିତ୍ର, ସଖା, ପାର୍ଥ ବୋଲି ବି ଡ଼ାକେନି

କାହିଁକି ନା; ସବୁ ସାଙ୍ଗ ମୋ'ର ଖାଲି ସାଙ୍ଗ ନୁହଁନ୍ତି

ସେମାନେ ଜଣେ ଜଣେ ମୋ'ର " ବେଷ୍ଟ ଫ୍ରେଣ୍ଡ " ।୧।


ସେ ମୋ ମାଆ ନୁହେଁ,

ତଥାପି ମୋତେ ମାଆ ପରି ସ୍ନେହ କରେ,

ଅଝଟ ହେଲେ ଗେଲ କରେ,

ଦୁଷ୍ଟାମୀ କଲେ ତାଗିଦ୍ କରେ

କାହିଁକି ନା ସେ ମାେ " ବେଷ୍ଟ ଫ୍ରେଣ୍ଡ " ।୨।


ସେ ମୋ ବାପା ନୁହେଁ,

ତଥାପି ମୋତେ ବାପା ପରି ଶାସନ କରେ,

ବିପଦ ଆପଦରେ ମାେ ପାଖେ ଥାଏ,

ଝୁଣ୍ଟିବା ଆଗରୁ ଧରି ନିଏ

କାହିଁକି ନା ସେ ମାେ " ବେଷ୍ଟ ଫ୍ରେଣ୍ଡ " ।୩।


ସେ ମାେ ପ୍ରେମିକା ନୁହେଁ,

ତଥାପି ମୋତେ ପାଗଳ ପରି ଭଲପାଏ,

କାନ୍ଦୁଥିଲେ ହସାଇଦିଏ,

ମିଠା ମିଠା କଥା କହି ଦୁଃଖ ଚୋରାଇ ନିଏ

କାହିଁକି ନା ସେ ମାେ " ବେଷ୍ଟ ଫ୍ରେଣ୍ଡ " ।୪।


ସେ ମାେ ଗୁରୁ ନୁହେଁ,

ତଥାପି ମୋତେ ଗୁରୁ ପରି ଶିକ୍ଷା ଦିଏ,

ଭୁଲ୍ କଲେ ଉପଦେଶ ଦିଏ,

ଆଉ ଜୀବନ ପଥରେ ଚାଲି ନ ପାରିଲେ

ଚାଲିବା ଶିଖେଇ ଦିଏ

କାହିଁକି ନା ସେ ମାେ " ବେଷ୍ଟ ଫ୍ରେଣ୍ଡ " ।୫।


ସେ ମାେ ଭାଇ ନୁହେଁ,

ତଥାପି ମୋତେ ଭାଇ ପରି ସାହାର୍ଯ୍ୟ କରେ,

ନ ମାଗୁଣୁ ମାେ ହାତରେ ଦିଏ,

ସବୁବେଳେ ଛାଇ ପରି ମାେ ପାଖେ ପାଖେ ଥାଏ

କାହିଁକି ନା ସେ ମାେ " ବେଷ୍ଟ ଫ୍ରେଣ୍ଡ " ।୬।


ବନ୍ଧୁ,ମିତ୍ର,ସାଙ୍ଗ ଏହାର ସଂଜ୍ଞା

ମୋତେ ଭଲଭାବେ ଜଣା ନାହିଁ!

ଯାହା ଖାଲି ଏତିକି ଜଣା,



" ଯେଉଁ ସମ୍ପର୍କରେ ଧୋକା, ଛଳନା ନ ଥାଏ

 ଯେଉଁ ସମ୍ପର୍କ ସଦା ପବିତ୍ର, ପୂଜ୍ୟାସ୍ପଦ

 ତାହା ବନ୍ଧୁ ସମ୍ପର୍କ !!


ସାଙ୍ଗ ଏମିତି ଏକ କୋର୍ଟଟିଏ

ଯାହା ପାଖକୁ ଗଲେ ସବୁ ସତ କଥା ବାହାରିପଡେ ।୧।


ସାଙ୍ଗ ଏମିତି ଏକ ପୁସ୍ତକଟିଏ

ଯାହା ପାଖରେ ମାେ ସବୁ ପ୍ରଶ୍ନର ଉତ୍ତର ଥାଏ ।୨।


ସାଙ୍ଗ ଏମିତି ଏକ ମନ୍ଦିରଟିଏ

ଯାହା ପାଖରୁ କେବେ ଖାଲି ହାତରେ ଫେରି ହୁଏନି ।୩।


ସାଙ୍ଗ ଏମିତି ଏକ ସମୁଦ୍ରଟିଏ

ଯାହାକୁ ଦେଖିବା କ୍ଷଣି ଦୁଃଖ ଅଧା କମିଯାଏ ।୪।


ସାଙ୍ଗ ଏମିତି ଏକ ସମ୍ବିଧାନଟିଏ

ଯେଉଁ ସମ୍ବିଧାନରେ କୌଣସି ବି ଭୁଲ୍ ପାଇଁ ଦଣ୍ଡ ନଥାଏ ।୫।


ସାଙ୍ଗ ଏମିତି ଏକ ବିଦ୍ୟାଳୟଟିଏ

ଯେଉଁଠି କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ନ ଥାଆନ୍ତି ।୬।


ସାଙ୍ଗ ଏମିତି ଏକ ବିଶ୍ୱାସଟିଏ

ଯେଉଁଠି ବିଷ ମଧ୍ୟ ଅମୃତ ପାଲଟିଯାଏ ।୭।


ସାଙ୍ଗ ଏମିତି ଏକ ସଙ୍ଗୀତ

ଯାହାକୁ ଯେତେ ଶୁଣିଲେ ମଧ୍ୟ ମନ ଭାଙ୍ଗେନାହିଁ

ସଦା ପ୍ରଫୁଲ୍ଲିତ ହୁଏ ଚିତ୍ତ ।୮।


ସାଙ୍ଗ ଏମିତି ଏକ ସ୍ମୃତିଟିଏ

ଯାହାକୁ ଯେତେ ମନେ ପକାଇଲେ ମଧ୍ୟ ସମୟ କମ୍ ପଡ଼ିଯାଏ 


ସାଙ୍ଗ ଏମିତି ଏକ ଶବ୍ଦ

ଯାହାକୁ ବର୍ଣ୍ଣିଵାକୁ ଉଣା ହୋଇଯାଏ ପଦ ।୧୦।


ସାଙ୍ଗ ଏମିତି ଏକ ସମ୍ପର୍କ ଓ ସୃଷ୍ଟିଟିଏ 

ଯାହାର କୌଣସି ବିକଳ୍ପ ନାହିଁ ବିକଳ୍ପ ନାହିଁ !!୧୧!!


ସାଙ୍ଗ ଥିଲେ କୌଣସି ଶତ୍ରୁର ଭୟ ନାହିଁ,

ସାଙ୍ଗ ଥିଲେ କୌଣସି ଶତ୍ରୁର ଆବଶ୍ୟକତା ବି ନାହିଁ !!


ସାଙ୍ଗ ଥିଲେ ସମ୍ମାନ ଲୋଡା ନାହିଁ,

ସାଙ୍ଗ ଥିଲେ ଅସମ୍ମାନର ଆବଶ୍ୟକତା ବି ନାହିଁ !!


ବେଳେବେଳେ ଭାବିଦେଲେ ବଡ଼ ଆଶ୍ଚର୍ଯ୍ୟ ଲାଗେ

ଜୀବନରେ ସାଙ୍ଗ ନ ଥିଲେ

ଏ ଜୀବନଟା କେମିତି କଟିଥାନ୍ତା ??


ଆଜି ସବୁ ସାଙ୍ଗକୁ ପଚାଶ ଛୁଇଁଲାଣି

ଲୋକେ ସିନା ଆମକୁ ବୁଢ଼ା କୁହନ୍ତି

କିନ୍ତୁ ସାଙ୍ଗ କେବେ ବୁଢ଼ା ହୁଏନି !!


ସେ ସେମିତି ପିଲା ଭଳି 

ଦୁଷ୍ଟାମୀ କରେ

ପାଗଳାମୀ କରେ,

ଅଭିମାନ କରେ

ଚଗଲାମୀ ମଧ୍ୟ କରେ ।


ହେଲେ ଆଜି??

କାହାକୁ ଚାକିରୀ ପାଇଁ ସମୟ ନାହିଁ ତ

କାହାକୁ ପରିବାର ପାଇଁ ସମୟ ନାହିଁ

ଏବଂ ଆଉ କାହାକୁ ସାଙ୍ଗ ଆଦୋୖ ଦରକାର ନାହିଁ ।


ଯେବେ ଯେବେ ସବୁ ସାଙ୍ଗ ଏକାଠି ହୋଇଯାଉ

ପଛ ସ୍ମୃତି ସବୁକୁ ମନେ ପକାଇ ପକାଇ 

ଆମକୁ ଆଉ ସୂର୍ଯ୍ୟ ଚନ୍ଦ୍ର ଜଣା ପଡେ ନାହିଁ ।


କିଏ କହୁଥାଏ

ତୋ'ର ମନେ ଅଛି ନା

ପିଲାଦିନେ ସ୍କୁଲ୍ ଖାଇବା ଛୁଟିରେ

ପିଲାଙ୍କ ଖାତାରୁ ଧଳା କାଗଜ ଚିରି

ବର୍ଷା ହେଲେ ଡଙ୍ଗା କରି ଭସାଉଥିଲେ ।୧।


ତ ଆଉ କିଏ କହୁଥାଏ

ଏ ତୋ'ର ମନେ ଅଛି ନା

ସକାଳୁ ବିଲ ଗାଡିଆ ବୁଲି ମାଛ ଧରି

ଛଡେଇରେ ମାଛ ଭାଗ ବାଣ୍ଟିବା ପରେ

ସନ୍ଧ୍ୟାରେ ଘରକୁ ଫେରୁଥିଲେ

ଆଉ ତୋ' ବାପା ତତେ ପ୍ରବଳ ପିଟୁଥିଲେ ।୨।


କିଏ କହୁଥାଏ

ତୋ'ର ମନେ ଅଛି ନା 

ଖାଇବା ଛୁଟିରେ ସମସ୍ତଙ୍କ ଟିଫିନ୍ କୁ

ଗୋଟିଏ ଜାଗାରେ ରଖି ମିଶି'କି ଖାଉଥିଲେ

ତୁ ସବୁଠୁ ବେଶୀ ଖାଉଥିଲୁ ଯେ !! ୩।


ତ ଆଉ କିଏ କହୁଥାଏ

ତୋ'ର ମନେ ଅଛି ନା

ଗଉର ବୁଢ଼ା ଦୋକାନରୁ 

ତୋ'ର ମୋ'ର ପକୁଡ଼ି ଚୋରି କରୁଥିଲେ,

ତୁ ତ ଖସି ପଳେଇଥିଲୁ

ମୁଁ ଧରା ପଡ଼ି ଗଉର ବୁଢାଠୁ କେତେ ମାଡ଼ ଖାଇଥିଲି ।୪।


ଏମିତି ହିଁ ଆମ ସାଙ୍ଗ ମାନଙ୍କ ଭିତରେ ଝଗଡ଼ା ହୋଇଯାଏ

କିଏ ଆଗ କହିବ ବୋଲି!!!


କିଏ କହୁଥାଏ

ତୋ'ର ମନେ ଅଛି ନା

ମୁଁ ତତେ ଦୁଇଟା ନଳା ଖଜା ଦେଇଥିଲି

ତୁ ମୋତେ ଚାରିଣିକିଆ ରାଗ ଚକଲେଟ୍ ଦେଇନଥିଲୁ ବୋଲି

ଦୁହେଁ ଭୂଇଁରେ ଗଡାତଡା ହୋଇ ଝଗଡ଼ା କରୁଥିଲେ ।୫।


ତ ଆଉ କିଏ କହୁଥାଏ

ତୋ'ର ମନେ ଅଛି ନା

ଶନିବାର ସକାଳେ ସ୍କୁଲ୍ ଖେଳ ପଡ଼ିଆରେ

ମରିଚ ଡ଼ିଆଁ ଖେଳରେ

କାଳିଆ ଗଉଡ ଛେରି ପକେଇଥିଲା ।୬।


ଆରେ ମୋ କଥା ଛାଡ୍

ତୋ'ର ମନେ ଅଛି କି' ନାହିଁ

ତୁ ନବା ଗଉଡର ଝିଅ ଟୁଗୁଲିକୁ ଭଲପାଉଥିଲୁ

ଆଜି ତା' ଝିଅ ତତେ ବାବା ନ ଡାକି ମାମୁଁ ବୋଲି ଡାକୁଛି ! ।୭।


ଆରେ

ତୋ'ର ମନେ ଅଛି ନା

ରଙ୍କ ଖମ୍ବାରି ବାଡିରୁ ଆମ୍ବ ଚୋରି କରିଥିଲେ ବୋଲି

ସ୍କୁଲରେ ବାୟା ମାଷ୍ଟ୍ରେର ସେ ବେତ ପହାରକୁ

ଏବେ ବି ଦେଖେ ହାତ ପାପୁଲି ଫୁଲି'କି ଥିବ !!୮।


ଏମିତି ଅନେକ କଥା

କହିଲେ ଯୁଗଟେ ଲାଗିଯିବ ।

ଭାବିଦେଲେ ଆଖିରୁ ଲୁହ ଝରିଯାଏ

ଦେହରେ ଶୀତ କଣ୍ଟା ମାରିଯାଏ ।

କେମିତି ଥିଲା ସେ ଅତୀତ

କେମିତି ଥିଲା ଆମ ବନ୍ଧୁତ୍ୱ ।


'ସାଙ୍ଗ' ଜୀବନର ସବୁଠୁ ମଧୁର ସମ୍ପର୍କ

ସାଙ୍ଗ ସାଙ୍ଗର ସମ୍ପର୍କ ଲୁହା ଓ ଚୁମ୍ବକ

ବନ୍ଧୁତ୍ୱରେ କେବେ ନ ଥାଏ କଳଙ୍କ

ବନ୍ଧୁତ୍ୱକୁ ସଦା ପୂଜା କରେ ତ୍ରିଲୋକ

ଯେମିତି କୃଷ୍ଣା ସୁଦାମା ଓ ତାଙ୍କ ପରି ଅନେକ ।


ଏ ଫୁଲ ଯେମିତି ରଙ୍ଗ ବିନା

ଏ ପ୍ରେମ ଯେମିତି ତ୍ୟାଗ ବିନା

ଏ ସଙ୍ଗୀତ ଯେମିତି ରାଗ ବିନା

ଏ ଜୀବନ ବି ସେମିତି ସାଙ୍ଗ ବିନା ମୂଲ୍ୟହୀନ !!


ଶେଷରେ ଏତିକି କହିବି


ସାଙ୍ଗ କେବେ କିଏ ଜନ୍ମରୁ ହୋଇନଥାଏ

 କିନ୍ତୁ ମଲା ପରେ ମଧ୍ୟ ସେ ସଙ୍ଗ ଛାଡ଼ି ନ ଥାଏ

 ସେଥି ପାଇଁ ତ ତା' ନାଁ "ସାଙ୍ଗ" ।୧।

  

ସାଙ୍ଗ କେବେ ଆଖିରୁ ଲୁହ ପୋଛେନି

 କିନ୍ତୁ କେମିତି କ'ଣ କରେ ଲୁହ ବନ୍ଦ କରିଦିଏ

 ସେଥି ପାଇଁ ତ ତା' ନାଁ "ସାଙ୍ଗ" ।୨।


ସାଙ୍ଗକୁ କେବେ କିଛି ନ କହିଲେ ମଧ୍ୟ

 ସେ ଆମ ସୁଖରେ ସୁଖୀ ଓ ଆମ ଦୁଃଖରେ ଦୁଃଖୀ ହୁଏ

 ସେଥି ପାଇଁ ତ ତା' ନାଁ "ସାଙ୍ଗ" ।୩।

 



Rate this content
Log in