ସାହସ
ସାହସ
ଦରଦୀ ଓଠଟା ସିନା
ଚୁପିଚୁପି ପିଇଯାଏ
ନୟନର ନୀର,
ମନତଳେ ଲୁଚିଥିବା
ଅକୁହା ବେଦନା ସବୁ
ପିଇବାକୁ ସାହସ କରେନା।
ପଥଶ୍ରାନ୍ତ ପଥିକର ଶ୍ରମଝାଳ
ମନଭରି ପିଏ ସିନା ପଥ,
ପାଦର ବ୍ୟଥାଟା ତାର
ବୁଝିବାକୁ ସାହସ କରେନା।
ଦେହକୁ ଭିଜାଏ ସିନା
ରିମ୍ ଝିମ୍ ବରଷାର ଧାର,
ମନତଳେ ଜଳୁଥିବା ନିଆଁଟାକୁ
ଲିଭାଇବାକୁ ସେ କେବେ
କରେନା।
ମୃଗତୃଷ୍ଣା ଦିଏ ସିନା
ମିଛ ପ୍ରତିଶୃତି,
ରଖିବାକୁ ନିଜକଥା
ସାହସ ପାଏନା।
ପାନ୍ଥଶାଳା ଦିଏ ସିନା
ରାତିକ ଆଶରା,
ନିଆଶିରୀ ବାଟୋଇକୁ
ସବୁଦିନେ ରଖିବାକୁ
ସାହସ ଦିଏନା।
ସାଗରର ନୀଳ ଜଳ
ମନକୁ ସାନ୍ତ୍ଵନା ଦିଏ,
ଶୁଖିଲା ଓଠର ତୃଷା
ବୁଝିବାକୁ ସାହସ କରେନା।
କାକରରେ ଭିଜାଭିଜା
ଜୋଛନା ରାତିରେ
ଚକୋରଟା ବୁଝିପାରେ
ଚକୋରୀର ମରମ ବେଦନା,
କିନ୍ତୁ?
ପୋଛିବାକୁ ଲୁହ ତାର
ସାହସ ପାଏନା।
ଲହଡିଟା ଧୋଇନିଏ
ସାଗର ବେଳାଭୂମି ରେ
ଯେତେ ପାଦଚିହ୍ନ,
କିନ୍ତୁ?
ସ୍ମୃତି ସବୁ ଧୋଇବାକୁ
ସାହସ କରେନା।
ଅଙ୍କାବଙ୍କା ନଈ ସିନା
ଶୁଣୁଥାଏ ନାଉରୀର
କରୁଣ ସଙ୍ଗୀତ,
ଅନ୍ତର ବେଦନା ତାର
ବୁଝିବାକୁ ସାହସ କରେନା।
ସମସ୍ତଙ୍କ ମୁହଁ ଦେଖି
ପଢି ହୁଏ ଦୁଃଖ,
କିନ୍ତୁ?
ପଚାରିବାକୁ କାରଣ
ସାହସ ହୁଏନା।