ସାଗର ସଙ୍ଗମେ
ସାଗର ସଙ୍ଗମେ
ମିଳନର ମଧୁଶଯ୍ୟା ପରେ
ନା ଥାଏ ଯାତ୍ରାପଥର କ୍ଳାନ୍ତି
ନା ଥାଏ ସୂର୍ଯ୍ୟାସ୍ତର ଅବଶୋଶ
ନା ଥାଏ ସୂର୍ଯ୍ୟୋଦୟର ଚିନ୍ତା।
ବାସ୍ ଥାଏ ଖାଲି ଯାହା
ନିଜକୁ ନିଃଶେଷ କରିବାର ମୋହ
ସମ୍ପୂର୍ଣ୍ଣ୍ ସମର୍ପି ଦେବାର ଦୁର୍ବାର ଆକାଂକ୍ଷା,
ବଳକା ଥିବା ସନ୍ଦେହକୁ ବିସର୍ଜନ କରି
ବିଶ୍ୱାସର ପ୍ରଖର ସ୍ରୋତରେ ଭାସି ଭାସି
ନିଜ ଅସ୍ତିତ୍ୱ ବିସର୍ଜନର ଏକ ତପୋନିଷ୍ଠ ନିଶାରେ
ଲେଖାହୁଏ ସଙ୍ଗମର ବିଭୋର କବିତା।
ବେସୁଆଦୀ ଲବଣାକ୍ତ ଲକ୍ଷ୍ୟସ୍ଥଳ ବି
ସାଜେ ମହନୀୟ ତୀର୍ଥସ୍ଥଳୀ ସମ
ମଧୁରତାର ସେ ଅଲିଅଳି ସ୍ମୃତି ସବୁ
ବିସ୍ମୃତ ହେବାକୁ ପଡ଼େ ମିଶିବାର କର୍ତ୍ତବ୍ୟବୋଧରେ,
ନିଜ କ୍ଷୁଦ୍ର ସୁଖକୁ ତେଜି
ହଜିବାକୁ ହୁଏ ବିରାଟ ଦୁଃଖରେ,
ଗତିଶୀଳ ଚିତ୍ତକୁ ରୋଧ କରି
ମଜ୍ଜିବାକୁ ହୁଏ ସାଗରର ଶାନ୍ତ ଓ ବିଶାଳ ବକ୍ଷରେ
ସତରେ ! ନିଜକୁ ହଜେଇ ଦେବା ପରେ
ନୂତନ ସେ ସଙ୍ଗମ ସ୍ଥଳରେ
ସୀମାବଦ୍ଧ ଶୃଙ୍ଖଳ ସବୁ ଚୂର୍ଣ୍ଣିଭୁତ ହୁଏ
ଅସୀମତ୍ୱର ଏ ନବ କଳେବରେ।
ଦୂର ଦିଗନ୍ତରେ ଫିଟିଯାଏ ସିନ୍ଥି
ଲାଲିମାର ସୀକୃତି ସମ୍ଭାଷଣେ,
ଜଳିଉଠେ ନକ୍ଷତ୍ରର ମଙ୍ଗଳ ଦୀପମାଳା
ଆକାଶର ପ୍ରାଚୀର ବେଢାରେ
ଦିଗନ୍ତରୁ ଆଶିଷ ହସ୍ତ ଛୁଇଁଯାଏ
ସାଗରର ଶୀତ ମସ୍ତକରେ
ବାସ୍ କିଛି ପ୍ରତୀକ୍ଷା, ଆକାଂକ୍ଷା ଓ ସ୍ୱପ୍ନ ଅଭିଳାଷ
ପ୍ରାପ୍ତ ହୁଏ ପୂର୍ଣ୍ଣତ୍ୱର ଚରମ ତୃପ୍ତିକୁ,
ଓ ଦୁଇ ଆକାଂକ୍ଷିତ ଓ ତୃଷିତ ହୃଦୟେ
ବର୍ଷିଯାଏ ମଧୁମୟ ଶୀତଳ ପିରତୀ
ଝୁମିଯାଏ ମଧୁଲଗ୍ନ ଏକ ପରିପୂର୍ଣ୍ଣ ଉପସଂହାରରେ।