ସ୍ଵାଧୀନତାର ଅନ୍ତରାଳେ
ସ୍ଵାଧୀନତାର ଅନ୍ତରାଳେ
ଆଜି ପରା ଅଗଷ୍ଟ ପନ୍ଦର
ସ୍ଵାଧୀନତାର ମହାର୍ଘ ପ୍ରମାଣ
ଶୌର୍ଯ୍ୟ,ବୀର୍ଯ୍ୟ, ଗର୍ବ ,ଗୌରବର
ସ୍ଥୂଳ ସମ୍ମୋହନ ମଧୁର ପାର୍ବଣ
ଆକୁମାରୀ ହିମାଳୟ ଶୋଭାର ସମ୍ଭାର
ମନ ଖୋଲା ହସର ନିଆରା ଚମକ
ମୁକ୍ତାକାଶେ ଉଡିବାର ଆକାଙକ୍ଷିତ
ଦୀର୍ଘ ପ୍ରତୀକ୍ଷିତ ମାହେନ୍ଦ୍ର ମୁହୂର୍ତ୍ତ
ଅୟୁତ ଅୟୁତ ଫୁଙ୍ଗୁଳା ସ୍ଵପ୍ନକୁ
ସାକାର କରିବାର ଚିତ୍ରିତ ସମୟ ।
ବେଦନା ବିଧୂର ଆଖିର ଲୁହକୁ
ନିଜ ହାତେ ପୋଛିବାର ବଳିଷ୍ଠ ପ୍ରୟାସ
କେତେ ସଜ ଫୁଟା ଆଶା ଓ କାମନାର
ଅଙ୍କୁରୋଦ୍ଗମ ଓ ସ୍ପର୍ଦ୍ଧିତ ପ୍ରବେଶ ।।
ସ୍ମୃତିର କେଉଁ ଅପହଂଚ କୋଣେ
ଜାଗା ଖଣ୍ଡେ ମାଡି ବସିଥିବା କେଉଁ ଦିନୁ
ଜାତିର ଜନକ ଧସେଇ ଆସନ୍ତି
ଚନ୍ଦନ କର୍ପୁର ଧୂପ ଦୀପ ରେ
ସଜ୍ଜିତ ହୁଏ ଭଗ୍ନ ପ୍ରତିକୃତି ତାଙ୍କ
ଅବା କେଉଁ ଅପନ୍ତରା ରାସ୍ତାର ପାର୍ଶ୍ଵରେ
ଲୋଟି ପଡିଥିବା ଖଣ୍ଡିତ ପ୍ରତିମୂର୍ତ୍ତି
ଝଲମଲ ହୁଏ, ମହମହ ବାସେ
ରଂଗ ବେରଂଗୀ ଫୁଲର ବାସ୍ନାରେ ।।
ଲମ୍ବା ଧାଡି ଲାଗେ ନେତା ମନ୍ତ୍ରୀଙ୍କର
ପ୍ରତିଯୋଗିତା ଚାଲେ ମାଲ୍ୟାର୍ପଣ ପାଇଁ ,
କେତେ କୋଳାହଳ କେତେ ଗାମ୍ଭୀର୍ଯ୍ୟ
ତା'ପରେ ସୀମା ସରହଦ ମାନୁନଥିବା
ଲମ୍ବା ଭାଷଣର ଉଛ୍ବସିତ ପର୍ବ ,
କେତେ କରତାଳି ତୁରୀ ଭେରୀ
ଆତସବାଜିର ତୀବ୍ର ପ୍ରକମ୍ପନ
ମାଟିକୁ ଛୁଉଁଥିବା ରଂଗୀନ ପ୍ରତିଶୃତିମାନଙ୍କ
ସ୍ଵର୍ଣ୍ଣାଭ ଭିତ୍ତି ସ୍ଥାପନ ।।
ମାତ୍ର କେତୋଟି ମୁହୂର୍ତ୍ତର ବ୍ୟବଧାନ
ସବୁ କିଛି ଓଲଟ ପାଲଟ ଗାଣିତିକ ସୂତ୍ର
ରାତ୍ରିର ରଜନୀଗଂଧା ସକାଳକୁ ବାସ ହୀନ
କେତେ ଜୀବନ୍ତ ପ୍ରତିଶୃତିର ହାହାକାର
ପ୍ରତାରଣାର ବିଷ ଜଉଘରେ ,
ବିବର୍ଣ୍ଣ ଲାଗେ ମହମହ ବାସୁଥିବା
ସ୍ଵାଧୀନତାର ଗୋଲାପୀ ପାଖୁଡା ,
ପୀୟୂଷର ପିଆଲାରେ ମୃତ୍ୟୁର ଗରଳ
କୂଟ ଚକ୍ରୀମାନଙ୍କ ପଶାପାଲି ରେ
ବନ୍ଧା ପଡିଯାଏ ସ୍ବଛ୍ବ ସ୍ଵାଭିମାନ ।।
ଦୁଇ ମୁଠା ଭାତ ପାଇଁ ଲମ୍ବା ଧାଡି ଲାଗେ
ଆହାର କେନ୍ଦ୍ରରେ କେତେ ଭୋକିଲା ପେଟର,
ରିକ୍ତ ପାପୁଲି ଦୁଇଟି ସଂଘର୍ଷ କରୁଥାଏ
ବଂଚିବାକୁ ଆଉ କେତେଦିନ ,
ମା' କୋଳରୁ ହଜିଯାଏ ଶିଶୁ ପୁତ୍ରଟିଏ
ପେଟ ବିକଳରେ ତୁଟିଯାଏ ସୋହାଗ ବନ୍ଧନ
ଅପପୁଷ୍ଟିର ଦାବାନଳେ ଲୋଟି ପଡେ
ଏ ଜାତିର ଆଗାମୀ ଦାୟାଦ ,
କେତେ ଅସହାୟା ନିରୀହ ଅବଳାଙ୍କ ରକ୍ତସ୍ନାନ
ଆର୍ତ୍ତନାଦ ବୁକୁଫଟା କରୁଣ ଚିତ୍କାର
ନାରୀ ମାଂସ ଲୋଭି ପିତୃମାତୃହୀନ ଜାରଜ
କେତେ ଅବାଂଛିତଙ୍କ ଅର୍ଗଳି ଭିତରେ।।
ସ୍ଵାଧୀନତାର ଅଫୁରନ୍ତ ହସ ତଳେ
କଙ୍କାଳସାର ମଣିଷର ନଗ୍ନ ପ୍ରତିବିମ୍ବ
ଆସୁଛି ଆସୁଥିବ କେତେ ଅଗଷ୍ଟ ପନ୍ଦର
କ'ଣ ଫରକ ଥିବ କାଲି ଓ ଆଜିର ?
କି ଲାଭ ହେବ ମୁଠାଏ ସ୍ଵପ୍ନକୁ ନେଇ
ବଂଚିବାର ନିଖୁଣ ଅଭିନୟ କରିବାରେ ?
ଚତୁର୍ଦିଗ ଖାଲି ପ୍ରବଂଚନାର ପ୍ରଳୟ
ଶୋଷଣ, କଷଣ, ତୋଷାମତ ,ଉତ୍ପୀଡନ
ଏବଂ କ୍ଲୀବତ୍ଵର ଖିଲି ଖିଲି ହସ ।।
ଫର ଫର ଉଡୁଥିବ ଶାନ୍ତିର ତ୍ରିରଙ୍ଗା
ଗାଉଥିବ ସାମ୍ୟ, ମୈତ୍ରୀ, ଏକତା ସଂଗୀତ
ବାଣ୍ଟୁଥିବ ସଦଭାବନାର ସତ୍ୟଶୀଳ ମନ୍ତ୍ର
ମାତ୍ର ,ଅଶାନ୍ତିର ବିଷଜ୍ବାଳାରେ ଜଳୁଥିବ
ଏ ସଭ୍ୟ ସମାଜର ଦୁଃସ୍ଥ ମାନସିକତା
ବୢଥା ଅହମିକାର କଳଙ୍କିତ ଚିତ୍ରପଟ୍ଟ,
ସ୍ଵାଧୀନତାର ଛତ୍ର ଛାୟା ତଳେ
ପ୍ରଗତି ର ମୂର୍ଚ୍ଛନା ତୋଳୁଥିବା
ଏ ଜାତି ଏବେ ବି ପରାଧୀନ,ବିଦୀର୍ଣ୍ଣ
ରୁଗ୍ଣ ,କ୍ଳାନ୍ତ ଓ ଜରାକୀର୍ଣ୍ଣ ।।
ଅଧ୍ୟାପକ ଶରତ କୁମାର ଦାସ
ରାଜନୀତି ବିଜ୍ଞାନ ବିଭାଗ,
ବଡବିଲ ମହାବିଦ୍ୟାଳୟ,ବଡବିଲ , ଜି-କେନ୍ଦୁଝର