ସ୍ଵାଧୀନ ଦେଶର କଥା
ସ୍ଵାଧୀନ ଦେଶର କଥା
ମୁଁ ରାଜ୍ୟ ବାହାରେ ଦାଦନ ଖଟୁଛି
କ୍ରୀତଦାସ ସାଜି ସଂସାର ପାଳେ
ଦରଖିଆ ହୋଇ ଜୀବନ ବିତାଏ
ମିଳେନାହିଁ ମୋତେ ଆହାର ମୁଠେ
ତଥାପି ଶୁଣୁଛି ମୋ ଦୁଇ କର୍ଣ୍ଣ
କାହିଁକି ନା ସ୍ୱାଧୀନ ଦେଶର ମୁଁ ପ୍ରଜା ଧନ୍ୟ
କି ଅବା ଅଭାବ କଷଣ ଯିବ
୭୫ତମ ସ୍ୱାଧୀନତାର ଅମୃତ ମହୋତ୍ସବ ।
ମୁଁ ଜଣେ କୃଷକ ଫଳାଉଛି ଶସ୍ଯ
ବୁହାଉଛି ନିତି ରକତ ବିନ୍ଦୁ
ମିଳେନାହିଁ ମତେ ମୋ ପାରିଶ୍ରମିକ
ଦୁଃଖ ବହିଯାଏ ମୋ ସାତ ସିନ୍ଧୁ
ଅଭାବେ କୁଟୁମ୍ବ କାଟୁଛି ଦିନ
କାହିଁକି ନା ସ୍ୱାଧୀନ ଦେଶର ମୁଁ ପ୍ରଜା ଧନ୍ୟ
ଦାରିଦ୍ର୍ୟତା ମୋର ଘୁଞ୍ଚି କି ଯିବ
୭୫ତମ ସ୍ୱାଧୀନତାର ଅମୃତ ମହୋତ୍ସବ ।
ମୁହିଁ ନାବାଳିକା କୋମଳ କଢ଼ିଟେ
କି ଦୋଷ କରିଛି ଏ ଦୁନିଆର
ସୁଯୋଗ ପାଇଲେ ଧର୍ଷଣ କରନ୍ତି
ବିକଳରେ ହୁଏ ମୁଁ ବଳାତ୍କାର
ନିରବେ କୁହଇ ମୋ ଭଙ୍ଗା ମନ
କାହିଁକି ନା ସ୍ୱାଧୀନ ଦେଶର ମୁଁ ପ୍ରଜା ଧନ୍ୟ
ଆଉ ଅନ୍ୟାୟ କି ଏଠି ନହେବ
୭୫ତମ ସ୍ୱାଧୀନତାର ଅମୃତ ମହୋତ୍ସବ ।
ପୁଣି ଇଚ୍ଛା ହୁଏ ଚାଖିବାକୁ ଥରେ
ସ୍ୱାଧୀନତା ସ୍ଵାଦ ମିଠା କି ଖଟା
ମିଳନ୍ତାକି ଥରେ ଜାଣନ୍ତି କେମିତି
ସ୍ୱାଧୀନତା ଲାଗେ ଖଦୀ କି ମଠା
କାରଣ ମୁଁ ପରା ଏ ଦେଶ ଜନ
କାହିଁକି ନା ସ୍ୱାଧୀନ ଦେଶର ମୁଁ ପ୍ରଜା ଧନ୍ୟ
ଏଥର ପରାଏ ଦରଦ ଯିବ
୭୫ତମ ସ୍ୱାଧୀନତାର ଅମୃତ ମହୋତ୍ସବ ।