ସାଦା କାଗଜ
ସାଦା କାଗଜ
ସାଦା କାଗଜର ମନ ନିରିମଳ
ହୃଦୟେ ତା କିଛି ନାହିଁ,
ସରଳ ନିଷ୍ପାପ ଶିଶୁଟିଏ ଭଳି
ରହିଥାଏ ସଦା ଚାହିଁ।
କବି ଲେଖନୀରୁ ଝରେ ତା ବୁକୁରେ
କାବ୍ୟ କବିତାର ନଈ,
ବାଣୀ ଦେବୀଙ୍କର ବିଦ୍ୟାର ଭଣ୍ଡାର
ହୃଦେ ବହିପାରେ ସେହି।
ପରବାସୀ ପ୍ରିୟ ବୁଣେ ତା ବୁକୁରେ
ପ୍ରେମ ପ୍ରଣୟର ଭାଷା,
ନିର୍ଜନ ରାତିରେ ପ୍ରେମିକା ମନରେ
ଗୋପନେ ଜଗାଏ ଆଶା।
ପ୍ରଭୁ ପ୍ରତିଛବି ତା ଅଙ୍କେ ତୂଳୀରେ
ଆଙ୍କେ ଯେବେ ଚିତ୍ରକର,
ଅନନ୍ତ ବ୍ରହ୍ମାଣ୍ଡ ତା ବୁକୁରେ ଦେଖେ
ଜ୍ଞାନୀ ଭକତ ପ୍ରବର।
ଖୋଲା ତା ହୃଦୟ ଏତେ ଯେ ବିଶାଳ
ଅହଙ୍କାର ଟିକେ ନାହିଁ,
ସବୁରି ସେବାରେ ସମର୍ପିତ ସିଏ
ଜଗତର ହିତ ପାଇଁ।
ଆଜିର ମଣିଷ ଲଭୁ ତା ଆଦର୍ଶ
ହୃଦ କରୁ ପରିଷ୍କାର,
ଅଖିଳ ବ୍ରହ୍ମାଣ୍ତ ସେନେହ କାଳିରେ
କରୁ ସେଠି ହସ୍ତାକ୍ଷର।
ନରହୁ ମନରେ ରାଗ, ଅହଙ୍କାର,
ହିଂସା ,ଦ୍ୱେଷ ,କ୍ଳେଶ ଭାଷା,
ନିର୍ମଳ ଚିତ୍ତରେ ପ୍ରଭୁ ପ୍ରତିଛବି
ବିରାଜିବ ନିଶ୍ଚେ ଆଶା।