ସ୍ୱପ୍ନ ସହ ସନ୍ଧି
ସ୍ୱପ୍ନ ସହ ସନ୍ଧି
ଆଶାର ସହରେ ସଞ୍ଜ ନଇଁଗଲେ
ଦୀପ ଲିଭି ଲିଭି ଆସେ,
ରାତିର ବୟସ ବଢ଼ି ଚାଲେ ଯେବେ
ଦେହରେ ଛନକା ପଶେ।
ଅଣ୍ଟି ତଳେ ଥିବା ଅଧାଲିଭା ନିଆଁ
ଜଳି ଉଠି ଦିଏ ଚେଙ୍କ,
ଭାଗଫଳ ଭାଗଶେଷ ଖୋଜି ଖୋଜି
ଛିଡେନାହିଁ ମାନସାଙ୍କ।
ଆଜିର ବାକିଆ ଜଞ୍ଜାଳ ସରେନା
କାଲିକୁ ଆବୋରି ବସେ
ଏମିତି ଅନେକ କାଲି ସରିଯାଏ
ରାତିଟା ବିଚରା ଫସେ।
ରାତି ସିନା ଆସେ ନିଦ ଆସେନାହିଁ
ବିଛଣା ବଇରି ସାଜେ,
କ୍ଳାନ୍ତ ଆଖି ଯେବେ ମୁଦି ହେଉଥାଏ
କୋଳାହଳେ ଶାନ୍ତି ଭାଜେ।
ନିଦ ଯେବେ ପର କରି ଯାଏ ଚାଲି
ସ୍ୱପ୍ନ ସହ କରେ ସନ୍ଧି,
ସପନରେ କାଳେ ନିଦ ଆସିଯିବ
ସେଥିପାଇଁ ହୁଏ ଧନ୍ଦି।
ଖୋଜିବସେ ସେହି ସପନରେ ନିତି
ଅଛିଣ୍ଡା ଅଙ୍କର ସୂତ୍ର,
ନିଜକୁ ମୁଁ ନିଜେ ଭାଙ୍ଗି ଗଢ଼ି ବସେ
ଆଙ୍କି ଅଭିନବ ଚିତ୍ର।
ନିଦ ସିନା ଭାଙ୍ଗେ ବିଶ୍ବାସ କୁଟୀର
ସ୍ୱପ୍ନ ସାଜେ ସହଚର,
ମୋତେ ସେ ଦେଖାଏ ଆଶା ଅରୁଣିମା
ଇନ୍ଦ୍ରଧନୁ ପରେ ଘର।
ଦିଗନ୍ତ ସେପାରି ବର୍ଣିଳ ସହର
ପାଖେଇ ପାଖେଇ ଆସେ,
ମନର ମଣିଷ ପାଶେ ନଥାଇ ବି
ମୁରୁକି ମୁରୁକି ହସେ।
ସେ ସହରେ କେବେ ସଞ୍ଜ ନଏଁ ନାହିଁ
ରାତି ଆସେନାହିଁ ଘୋଟି,
ସ୍ୱାର୍ଥ ଈର୍ଷା ମିଛ ଅହଙ୍କାର ଯେତେ
ମାଡ଼ନ୍ତିନି ତାର ମାଟି।
ଭାଙ୍ଗିଯାଏ ସିନା ସପନ ଅଧାରୁ
ସ୍ମୃତି ତାର ଯାଏ ଛାଡ଼ି,
ବଞ୍ଚିବାର ଏକ ପ୍ରୋତ୍ସାହନ ଦେଇ
ଦୁଃଖ ଯେତେ ନିଏ ଭିଡ଼ି।