ସ୍ୱାର୍ଥପର ମଣିଷ
ସ୍ୱାର୍ଥପର ମଣିଷ
ଝଙ୍କା ବରଗଛ ଛାଇ ଦେଉଥିଲା
ଡହ ଡହ ଖରାବେଳେ,
ବିଚରା ପଥିକ କ୍ଳାନ୍ତ ମେଣ୍ଟୁଥିଲେ
ବସି ସେଇ ଗଛମୂଳେ।।
ବାହୁରେ ତାହାର ଧରି ରଖିଥିଲା
କେତେ ଯେ ଅଜଣା ସାଥୀ,
ବାଣ୍ଟି ଦେଉଥିଲା ଉତ୍କଣ୍ଠା ଚିତ୍ତରେ
ବାଣ୍ଟୁ ଥିଲା ତାର ପ୍ରୀତି।।
କାହିଁ କେତେଦୂରୁ ପକ୍ଷୀ ଉଡିଆସି
ତା ଡାଳେ ବାନ୍ଧନ୍ତି ବସା,
କିଚିରି ମିରିରି ଶବ୍ଦ ଗହଣରେ
ଭରିଥାଏ ସବୁ ଆଶା।।
ପର କି ଆପଣା ଭାବିନାହିଁ କେବେ
ସଭିଙ୍କୁ ନିଜର କରେ,
ପାଇବାର ଇଚ୍ଛା କିଛି ବି ରଖିନି
ସଭିଙ୍କୁ ରଖେ କୋଳରେ।।
ସ୍ୱାର୍ଥପର ଏଇ ମଣିଷ ଜାତିଟା
ବିଶ୍ୱାସେ ଦିଅଇ ବିଷ,
ନିଜ ସ୍ୱାର୍ଥ ପାଇଁ କାଟିଦେଲା ଆଜି
ଛଡ଼ାଇ ନେଲା (ତା) ଆୟୁଷ।।
ପ୍ରେମ ପ୍ରତିଦାନେ ଛଳନା ମିଳଇ
ଆଜି ଏ ସମାଜେ ଭାଇ,
ସଭିଙ୍କୁ ବନ୍ଧନେ ବାନ୍ଧି ଯେ ରଖଇ
(ସେ) ଦିନେ ଯାଏ ଏକା ହୋଇ।।