ରଥଯାତ୍ରା
ରଥଯାତ୍ରା
ଜଗନ୍ନାଥ ଜଗତ ନାଥ
ଚକାଡୋଳା ଲିଳା ଅଦ୍ଭୁତ ।
ପ୍ରିୟ ପରିଜନଙ୍କ ମେଳେ
ବିଜେ ତୁମେ ବଡ ଦେଉଳେ।
ଦୀନ ବନ୍ଧୁ ଭକ୍ତ ବତ୍ସଳ
ଭକ୍ତ ପାଇଁ ପ୍ରାଣ ଆକୁଳ ।
ବାରମାସେ ତେର ଯାତରା
ଭକତଙ୍କ ଦୁଃଖ ପାଶୋରା ।
ପାଇବାକୁ ତୁମ ଦର୍ଶନ
ସାରା ବିଶ୍ବ ନିତି ଉଚ୍ଛନ୍ନ ।
ଧନ୍ୟ ତୁମେ କଳା ସାଆନ୍ତ
ଧନ୍ୟ ତୁମ ରଥଯାତ୍ରା ତ ।
ଆଷାଢ଼ ଶୁକ୍ଳ ଦ୍ୱିତୀୟା ରେ
ରଥ ଯାତ୍ରା ହୁଏ ଶ୍ରୀକ୍ଷେତ୍ରେ।
ପତିତ ଙ୍କ ଉଦ୍ଧାର ପାଇଁ
ସ୍ବବିଗ୍ରହେ ଆସ ଓହ୍ଲାଇ ।
ରତ୍ନବେଦୀ ରୁହଇ ଖାଲି
ପ୍ରଭୁ ଯାଅ ରଥରେ ବୁଲି ।
ତିନି ରଥେ ଚତୁର୍ଦ୍ଧାମୂର୍ତ୍ତି
ଝଲସଇ ଅପୂର୍ବ ଜ୍ୟୋତି ।
ତିନି ରଥ ଭାରି ସୁନ୍ଦର
ବଡ଼ ଦାଣ୍ଡେ ଭକ୍ତ ସମୁଦ୍ର ।
ରଥ ଦିଶେ ମନ୍ଦିର ପରି
ଭକ୍ତମାନେ ଥାଆନ୍ତି ଘେରି ।
ତାଳଧ୍ଵଜ ଦେବଦଳନ
ନନ୍ଦିଘୋଷେ ଚକାନୟନ ।
ଘଣ୍ଟଘଣ୍ଟା ଉଛୁଳେ ତୂରୀ
ପ୍ରଭୁ ବିଜେ ପହଣ୍ଡି କରି ।
ପୁଷ୍ପ ବୃଷ୍ଟି ସରଗୁ ହୁଏ
ବିଶ୍ବ ତୁମ ବନ୍ଦନା ଗାଏ ।
ପ୍ରଭୁଙ୍କର ପହଣ୍ଡି ଯେବେ
ଟାହିଆତ ମଥାରେ ଶୋଭେ ।
ବାଉଁଶ ରେ ଜରି ଜମ୍ବୁରା
ସୋଲ ଆଉ ଫୁଲର ଝରା ।
ତୁଳସୀ ଦୟଣା ରଙ୍ଗଣୀ
ଟାହିଆରେ ହୁଏ ମଣ୍ଡଣୀ ।
ପବନରେ ଦୋହଲୁଥାଏ
ଭକତଙ୍କ ମନକୁ ମୋହେ ।
ଧାଡି ପହଣ୍ଡିରେ ଠାକୁରେ
ଆସିଥାନ୍ତି ସିଂହ ଦୁଆରେ ।
ସୁଦର୍ଶନ ଆଗ ଆସନ୍ତି
ଦେବୀ ରଥେ ସେତ ବସନ୍ତି ।
ବଳଭଦ୍ର ପହଣ୍ଡି ବିଜେ
ବିରାଜନ୍ତି ସେ ତାଳଧ୍ଵଜେ ।
ଶୂନ୍ୟ ପହଣ୍ଡି ରେ ଶୁଭଦ୍ରା
ଦେବଦଳନ ରେ ସେ ଉଭା ।
ଶେଷରେ କଳିଆ ସାଆନ୍ତ
ଝୁଲି ଝୁଲି ଆସନ୍ତି ସେତ ।
ନନ୍ଦିଘୋଷ ପ୍ରଭୁଙ୍କ ରଥ
ଢଳିଢଳି ସେ ବିରାଜିତ ।
ତିନି ରଥରେ ଚାରି ମୂର୍ତ୍ତି
ଶୋଭା ସୁନ୍ଦର ଝଟକନ୍ତି ।
ଛେରାପହଁରା ତହିଁ ନୀତି
କରନ୍ତି ରାଜା ଗଜପତି ।
ପହଁରା ଧରି ଯେ ରାଜନ
କରନ୍ତି ରଥ ସମାର୍ଜନ ।
ଚନ୍ଦନ ପାଣି ଛିଞ୍ଚି ଥାନ୍ତି
ତାପରେ ଆଳତି କରନ୍ତି ।
ପକାଇ ଆଲଟ ଚାମର
ରାଜା କରନ୍ତି ନମସ୍କାର ।
ଛେରାପହଁରା ଗଲେ ସରି
ଗଜପତି ଯାଆନ୍ତି ଫେରି ।
ଚାରମାଳ ଫିଟା ଯାଏଟି
ଘୋଡ଼ା ସବୁ ଯୋଚା ହୁଏଟି ।
ରଥଟଣା ଆରମ୍ଭ ହୁଏ
ଘଣ୍ଟଘଣ୍ଟା ଉଛୁଳୁଥାଏ ।
ଡାହୁକ ଯେ ବେତ ହଲାନ୍ତି
ଭକ୍ତମାନେ ରଥ ଟାଣନ୍ତି ।
ଗଡିଯାଏ ରଥ ତିନୋଟି
ବଡ଼ଦାଣ୍ଡ ଧନ୍ୟ ହୁଏଟି ।
ଆଗ ଟଣା ତାଳଧ୍ଵଜ ଟି
ତାପରେ ଯେ ଦେବୀ ରଥଟି ।
ଶେଷେ ନନ୍ଦିଘୋଷ ଟଣାଯେ
ଟାଣିବାକୁ ଭକ୍ତ ବଣାଯେ ।
ଟାଣିବାକୁ ସୁଯୋଗ ମିଳେ
ନନ୍ଦିଘୋଷ ଭାଗ୍ୟରେ ଥିଲେ ।
ଶରଧା ବାଲି ତିନି ରଥ
ଜନ୍ମବେଦୀ ର ଲିଳା ସେତ ।
ଗୋଟି ପହଣ୍ଡି କରିଥାନ୍ତି
ଗୁଣ୍ଡିଚା ଘରେ ପ୍ରଭୁ ଯାନ୍ତି ।
ଗୁଣ୍ଡିଚା ମନ୍ଦିର ସୁନ୍ଦର
ଜନ୍ମବେଦୀ ଯେ ପ୍ରଭୁଙ୍କର ।
ଦାରୁବ୍ରହ୍ମ ଚତୁର୍ଦ୍ଧା ମୂର୍ତ୍ତୀ
ଏହିଠିରେ ଗଢା ହେଲେଟି ।
ବନ୍ଦ ରୁହେ ଏ ବର୍ଷ ସାରା
ରଥ ରେ ଲାଗଇ ଯାତରା ।
ଆଡ଼ପ ମଣ୍ଡପ ଯେ ତହିଁ
ବିଜେ କରନ୍ତି ପ୍ରଭୁ ଯହିଁ ।
ଆଡ଼ପ ଦର୍ଶନ ରେ ପୂଣ୍ୟ
ମନ ପ୍ରାଣ ଯେ ହୁଏ ଧନ୍ୟ ।
ଲକ୍ଷ୍ମୀ ତ ତେଣେ ଏକା ଥାନ୍ତି
ଗୁପ୍ତ ରାହାସ ହୁଏ ଏଠି ।
ଫେରନ୍ତି ନାହିଁ ପ୍ରଭୁ ଯେଣୁ
ରୋଷ କରନ୍ତି ମାତା ତେଣୁ ।
ହେରାପଞ୍ଚମୀ ରଜନୀ ରେ
ଆସନ୍ତି ସେ ଗୁଣ୍ଡିଚା ଘରେ ।
ପ୍ରଭୁଙ୍କୁ ପାରନ୍ତିନି ଭେଟି
ମଥାକୁ ରାଗ ଯାଏ ଉଠି ।
ନନ୍ଦିଘୋଷ ରୁ ଭାଙ୍ଗି କାଠ
ଦେଉଳେ ଫେରିଥାନ୍ତି ମାତ।
ମାତାଙ୍କ ରାଗ ଅଭିମାନ
ଜାଣିପାରନ୍ତି ନାରାୟଣ ।
ଫେରିବାକୁ ତହୁଁ ପ୍ରସ୍ତୁତ
ଦକ୍ଷିଣ ମୋଡ଼ ହୁଏ ରଥ ।
ବାହୁଡ଼ା ଦଶମୀ ତିଥିରେ
ପ୍ରଭୁ ଫେରନ୍ତି ଶ୍ରୀମନ୍ଦିରେ ।
ମାଉସୀ ମାଆ ଚାହିଁଥାନ୍ତି
ପୋଡ଼ ପିଠା ସେ ଖୋଇଥାନ୍ତି ।
ରାଜ ଉଆସ ଆଗେ ସେତ
ପ୍ରଭୁଙ୍କ ସାଥେ ଲକ୍ଷ୍ମୀ ଭେଟ ।
ସିଂହ ଦ୍ବାରେ ପହଞ୍ଚେ ରଥ
ପରଦିନ ସୁନା ବେଶତ ।
ସୁନା ଛାଉଣୀ ପ୍ରଭୁ ହୋଇ
ନିଅନ୍ତି ଭକ୍ତ ମନ ମୋହି ।
ରଥେ ପୁଣି ଅଧର ପଣା
ଅଶରୀରି ହୁଅନ୍ତି ବଣା ।
ପ୍ରଭୁଙ୍କ ସାଥେ ଯାଇଥାନ୍ତି
ପଣାରେ ହୁଏ ମନ ଶାନ୍ତି ।
ତାପରେ ତ ନୀଳାଦ୍ରି ବିଜେ
ଭକତିରେ ଭକତ ହଜେ ।
ନିଳାଦ୍ରୀ ବିଜେ ଯେଉଁ ଦିନ
ମହକଇ ଚୁଆ ଚନ୍ଦନ ।
ଗୋଟି ପହଣ୍ଡି ଦିଅଁ କରି
ଶ୍ରୀମନ୍ଦିରେ ଯାଆନ୍ତି ଫେରି ।
ଆଗ ଫେରନ୍ତି ସୁଦର୍ଶନ
ତାପରେ ବଳଭଦ୍ର ପୁଣ।
ଶୂନ୍ୟ ପହଣ୍ଡି କରି କରି
ଶୁଭଦ୍ରା ଯାଇଥାନ୍ତି ଫେରି ।
ଶେଷରେ ପ୍ରଭୁ ଯେ ଫେରନ୍ତି
ଗହଳୀ ଦାଣ୍ଡରେ ଲଗାନ୍ତି ।
ଚାରମାଳ କୁ ପ୍ରଭୁ ଆସି
ଦଣ୍ଡେ ରୁହନ୍ତି ତହିଁ ବସି ।
ଭେଟ ମଣ୍ଡପ ରେ କମଳା
ଚାରମାଳ ରେ ଚକାଡୋଳା।
ଚାରିଆଖି ହୁଏ ମିଳନ
ଆଳତି ତହୁଁ ଅରପଣ ।
ପହଣ୍ଡି ପ୍ରଭୁ କରିଥାନ୍ତି
ସିଂହଦ୍ବାର କୁ ଯାଇଥାନ୍ତି ।
ମାଆ ଯେ କବାଟ କିଳନ୍ତି
ପ୍ରଭୁଙ୍କ ବାଟ ଉଗାଳନ୍ତି ।
ମାନ ଅଭିମାନ ଚାଲେଟି
କଥା କଟାକଟି ହୁଏଟି ।
ପ୍ରଭୁଙ୍କର ମିଠା ବଚନ
କିଣିନିଏ ମାଆଙ୍କ ମନ ।
ରାଗ ଅଭିମାନ ତେଜିତ
ଖୋଲିଥାନ୍ତି ମାଆ କବାଟ।
ମନ୍ଦିର କୁ ପ୍ରଭୁ ଚଳନ୍ତି
ସିଂହାସନେ ବିଜେ କରନ୍ତି ।
ରତ୍ନବେଦୀ ହୁଅଇ ପୂର୍ଣ୍ଣ
ଆରସନେ ଚାହିଁଥା ମନ ।