ଋଣ
ଋଣ
ମୁଁ ଏକ ଗଧ, କୁର୍ମ
ଋଣ ବୋଝ ବୋହି ବୋହି ବଙ୍କା
କିନ୍ତୁ କେତେ ମୁଁ କୃତଘ୍ନ!
ଋଣ ତ ଋଣ
ସୁଧ ଦେବାକୁ କରିନି କେବେ ଚେଷ୍ଟା
ମୁଁ, ମୋ, ମୋତେ ଭିତରେ ଆବଦ୍ଧ
ଭୁଲିଛି 'ଋଣ' ଦେଇଥିବା ମଣିଷମାନଙ୍କୁ।।
ମାଆର ମୁଁ ପ୍ରଥମ ଋଣୀ
କେବେ ପଚାରିନି
ମାଆ ! କେମିତି ଅଛୁ
କଣ ଖାଉଛୁ
ତୋ ଦେହ ଖରାପ ହେଲେ
କିଏ ତୋ ସେବା ଛାଡ଼ ରାନ୍ଧି ଦେଉଛି
ତୁ କଣ
ଥର ଥର ହାତରେ ରୋଷେଇ କରି
ଖାଇ ପାରୁଛୁ ମା
ତୋ ଅଣ୍ଟା ବା ଭାଙ୍ଗି ପଡିଛି
ଦାଣ୍ଡ କଳରୁ ପାଣି ଆଣି ପାରୁଛୁ ତ ମାଆ??
ବାପା! ମୋ ପରିଚୟ
ଖୁସିର ଠିକଣା
ପଚାରିନି କେବେ
ବାପା ! ଏକା ଏକା ଧାନ ବିଡ଼ା
ତୁମେ କଣ ଉଠେଇ ପାରୁଛ
ଯାଇ ପାରୁଛ ହାଟକୁ ସଉଦା ପାଇଁ
ଭାଗବତ ପଢି ପାରୁଛ ତ ବାପା
ମୋତିଆ ବିନ୍ଦୁ ଆଖିରେ
ସଫା କରିପାରୁଛ ତୁମ
ପିନ୍ଧା ଲୁଗା
ଥକିଲା ବୟସେ
ତୁମେ ପାରୁଛ ନିଜ କାମ କରି
ଜୀବନ ସଞ୍ଜରେ।।
ଭଉଣୀ! ମୋ ରାକ୍ଷୀ ହସ
ପଚାରିନି
ତୁ କଣ ମୋତେ ରଜ,ସାବିତ୍ରୀ
ଦୋଳରେ ମନେ ପକାଉଛୁ?
ମୁଁ ବା ସ୍ୱାର୍ଥପର
ଖାଲି ନିଜ ବଢିବା ପାଇଁ ଦୌଡୁଛି
ମୁଁ ତ ଭୁଲି ଯାଇଛି ତୋ ଭାଗ ଅଣ୍ଡା
ସ୍କୁଲରେ ମୋତେ ଦେଉ ମୋ ଭାଇ ଖାଉ କହି
ମୋ ଭୁଲ୍ ପାଇଁ ବାପା ମାଆ ଠାରୁ ମିଛ କହି
କେତେ ମାଡ଼ ଖାଉ।।
ମୁଁ ବସ୍ତାନି ବାନ୍ଧି ଦେଇଛି ମାଆ
ମୋର କିଛି ମନେ ନାହିଁ
ମୋର କେହି ମନେ ନାହିଁ
ମୁଁ ଶାଳୀ, ଶଶୁର ଶାଶୁ ପଛେ ଟଙ୍କା ଉଡାଉଛି
ତୁମ ଋଣ ଶୁଝିବି କେତେବେଳେ?
ମୁଁ ବା ଖୁବ୍ ବଡ଼ ହୋଇ ଯାଇଛି !