ରଙ୍ଗମଞ୍ଚ
ରଙ୍ଗମଞ୍ଚ
ଏହି ଦୁନିଆ ରୂପକ ରଙ୍ଗମଞ୍ଚେ
କଳାକାର ସର୍ବେ ଆମେ
ନିଜ ଅଭିନୟ ସାରି ଚଳିଯିବା
ଦିନେ ନିରାକାର ଧାମେ।
ମଞ୍ଚ ଛାଡିଦେଲେ ସର୍ବେ ଏକାକାର
ଭୁଲିଯାଅ କିଆଁ ତୁମେ
ଆତ୍ମା ପରମାତ୍ମା ମିଳନ ହୋଇଲେ
କାର୍ଯ୍ୟନାହିଁ ଧରାଧାମେ।
ମିଛ ମାୟାଜାଲେ ପଡି ଛଟପଟ
କାହିଁପାଇଁ ହୁଏ ନର
ବୁଝି ପାରେ ନାହିଁ ସେତ ମାୟାମୟ
ଲୀଳା ସବୁ ହରିଙ୍କର।
ଲୋଭ ଗ୍ରସ୍ତ ହୋଇ କାଳ କାଟିଦିଏ
କହୁଥାଏ ମୋରମୋର
ପିଣ୍ଡରୁ ପରାଣ ଯିବା ବେଳେ ଭାବ
ଏଠି କିଏବା କାହାର।
ସାଥି ହେବେ ନାହିଁ କେହି ସେତେବେଳେ
ଯେତେବେଳେ ନେବ କାଳ
ବେଳଥାଉଁ ଥାଉଁ ବାଇମନ ଥରେ
ଏକଥାକୁ ମନେ ଭାଳ।
କଳିଯୁଗେ ସାର ହରିନାମ ପରା
ଜପୁଥାଅ ରାତ୍ରଦିନ
ସେହି ଏକା ସାଥି ହେବ ଯିବାବେଳେ
ପିଣ୍ଡରୁ ପୈତୃକ ପ୍ରାଣ।
ମାୟା ମରୀଚିକା ପଛେ ଧାଇଁ ଧାଇଁ
କାହିଁପାଇଁ ଦିନ ସାରୁ
ହରି ସଂକୀର୍ତ୍ତନ କରି ଜୀବନକୁ
ନିଷ୍କଳଙ୍କ ତୁ ନକରୁ।
ରଙ୍ଗମଞ୍ଚ ଛାଡ଼ି ଯିବା ଆଗରୁ ତୁ
ହୁଅ ବାବୁ ସାବଧାନ
ମୁକତି ପଥରେ ଚାଲୁଥିବୁ ଯେବେ
ଉଦ୍ଧାର ପାଇବୁ ଧନ।
ବେଳ ଥାଉଁ ହେଜ ବିଳମ୍ବ ନକର
ମାୟାରେ ନଯାଅ ଭ୍ରମି
ନାଟ୍ୟ ଶେଷେ ଯାଇ ବୈକୁଣ୍ଠପୁରରେ
କିଣିତ ପାରିବ ଜମି।
କିଛିଦିନ ତହିଁ ମହା ଆନନ୍ଦରେ
କାଟିଦେଵ ତୁମେ ଦିନ
ସଦା ସରବଦା ବିଭୁଙ୍କ ପୟର
ସେବୁଥିବ ଦେଇ ମନ।