ରଙ୍ଗେଇଦେ ମୋତେ ତୋ' କଳାରଙ୍ଗେ
ରଙ୍ଗେଇଦେ ମୋତେ ତୋ' କଳାରଙ୍ଗେ
ତୋ' କଳା ରଙ୍ଗେ ରଙ୍ଗାଇଦେ ମତେ
ରଙ୍ଗିନ ହୋଇଯିବି ମୁହିଁ
ତୋ' ସାଥିରେ ମୁହିଁ ବସିବି ମଇତ୍ର
ଆରେ ମୋ କଳା କହ୍ନେଇ ।
ଫଗୁ ରଙ୍ଗ ବୋଳି ତତେ ସଜାଇବି
ଆମ୍ବ ଡାଳିଆ ମୁଁ ଥୋଇ
ରାଈ ଦାମୋଦର ବେଶରେ ତତେରେ
ନିତି ଦେଖୁଥିବି ଭାବଗ୍ରାହୀ ।
ସୁମଧୁର ତାନେ ଗାଇବି ତୋ' ପାଶେ
ଗୀତ ଗୋବିନ୍ଦ ରୁ ପଦେ
ମୋର ସବୁ ରଙ୍ଗ ସେଠି ଫିକା ପଡିଯିବ
ତୁ' ଶୁଣୁଥିବୁ ଯେବେ ।
ଫଗୁର ସମ୍ଭାରେ ତନୁ ହୃଦ ଦେଶ
ହୋଇଗଲେ ରଙ୍ଗାୟୀତ
ହିତା ହିତ ଜ୍ଞାନ ଭୁଲି ମୁଁ ନାଚିବି
ତୋ ସାଙ୍ଗେ ପରାଣ ମିତ ।
ତୋ ସୁମଧୁର ଗାନେ ହଜି ଯାଉଥିବି
ବଂଶୀର ସୁରିଲା ତାନେ
ତୋ'ନାମ ଶୃଙ୍ଗାରେ ରାସ ରଚୁଥିବି
ତୋ ପାଇଁ ରେ ଶ୍ୟାମ ଘନ।
ମନକୁ କରିଛି ଗୋପଦାଣ୍ଡ ମୁହିଁ
ହୃଦୟ ମୋ ମଧୁବନ
ତୋପାଇଁ ସାଜିଛି ଦେବଦାସୀ ଟିଏ
ନାଚୁଅଛି ଛମ୍ ଛମ୍ ।
ପ୍ରୀତି ରଙ୍ଗ ସାଥେ ଭକ୍ତି ଅବିରକୁ
ଗୋଳି ମାଖେ ପ୍ରିୟ ଶ୍ୟାମ
ତନୁ ବଲରୀରେ ଲେଖି ଦେଇଛି ମୁଁ
ପ୍ରିୟବର ତୋର ନାମ ।
ଅଙ୍ଗେ ଅଙ୍ଗେ ମୋର ପ୍ଳାବିତ ହେଉଛି
କୃଷ୍ଣ ପ୍ରୀତି ମନ୍ଦାକିନୀ
ଅମାନିଆ ନୀର ବହେ ଧାର ଧାର
ସତେ ଉଜାଣି ଯମୁନା ପାଣି ।
ମୋ ଶିରା ପ୍ରଶିରାରେ ପ୍ରତି ପ୍ରବାହରେ
ଈଶ୍ୱରୀୟ ଚିନ୍ତା ଧାରା
ଜୀବନ ଜିଇଁବା ଶିଖାଇ ଦେଉଛି
ଏ ମର୍ତ୍ତ୍ୟ ବୈକୁଣ୍ଠେ ପରା ।
ତୋର ସେବା ଟିକେ କରିବା ପାଇଁ
ଏ ମନ ହୁଏ ବ୍ୟାକୁଳିତ
ଆଶୀଷ ର ହାତ ମୋ ମଥାରେ ରଖ
ଆହେ ତ୍ରୀଭୁବନ ନାଥ ।