ରାତି ତୋର ଅଧେ ମୋର ଅଧେ
ରାତି ତୋର ଅଧେ ମୋର ଅଧେ
ମୁଁ ଯେବେ ନିରୋଳାରେ ଖୋଜେ ତୋତେ
ଖୋଲା ଆକାଶରେ ତାରା ଗହଣରେ
ତୋ ମୁହଁ ଦିଶେ ମୋତେ
କଳା ବାଦଲରେ ପ୍ରତ୍ୟେକ ତାରାରେ
ତାରା ଗଣି କାଟି ଦେଉ
ତୁ ବୋଧେ ଝରକା ଫାଙ୍କରେ
ପୁଣି ଜହ୍ନସଙ୍ଗେ କଥାହୋଇ
ସନ୍ଦେଶ ଦେଇଛୁ ମେଘମହ୍ଲାରରେ ।
ମନର ଦରଜା ଖୋଲି
ଯେବେ ଡ଼ାକିବୁ ତୁ ହାତଠାରି
ମୋ ସପନରେ
ଫଗୁଣର ସବୁରଙ୍ଗ, ଇନ୍ଦ୍ରଧନୁ ସାତରଙ୍ଗ
ବୋଳିଦେବୁ ମୋ ମନଗହନରେ ।
ଭିଜିଯିବି ମୁଁ ଯେ ବିନା ଶ୍ରାବଣରେ
ତୋ ଚୋରା ପ୍ରେମରେ
ମୋ ପାଇଁ ଗଢ଼ିଦେବୁ ଗୋପନରେ
କୁହୁଡିରେ ଘର ମନ ରାଇଜରେ ।
ଲେଖି ଦେବି ଏ ଜୀବନ ସାଦା କାଗଜରେ
ଯୋଡ଼ିହେବି ତୋ ନାଆଁରେ
ଗୋଟିଏ ଜନ୍ମରେ ନୁହେଁ
ତୋ ସାଥେ ସାତ ଜନମରେ ।
ଦୂରେ ଯେତେଦିନ ରହିଥିବା
ନିତି ସପନ ଦେଖିବା
ଭିଜୁଥିବା ବିରହରେ
ଚାହିଁ ଚାହିଁ ଶୂନ୍ୟତାରେ,
ରାତି କୁ ଭାଗ କରିବା
ତୋର ଅଧେ ମୋର ଅଧେ ।।