ରାଣ ଖାଆ
ରାଣ ଖାଆ
ରାଣ ଖାଆ !
କାହିରିକୁ କେବେ ବି ଶୁଣାଇବୁନି
ତୋ ମନକଥା କି ହୃଦୟର ବ୍ଯଥା
ସିଧା ସଚ୍ଚୋଟ ହେବା
ଆଉ ସତ କହିବାର ମୁର୍ଖାମି ପାଇଁ
ଏଠି ପୁରସ୍କାର ମିଳେନି
ବରଂ ବିଷ ଫାଶୀ ଶୂଳି ଗୁଳି ଗାଳି
କାରାଦଣ୍ଡ ବହିଷ୍କାର ତିରସ୍କାର ଢେଲାମାଡ଼ ମିଳିବାର
ଅଗଣିତ ପ୍ରମାଣ ଅଛି ଇତିହାସରେ ।
ତୋ ସରଳତା ନିଷ୍କପଟତା ନଙ୍ଗଳା ମୁହଁ ଯୋଗୁଁ
ଏ ସମାଜର ଭଦ୍ର ମୁଖା ଖୋଲିଯିବାର ଭୟ ଅଛି
ତେଣୁ ଯେନେ ତେନେ ପ୍ରକାରେଣ
ତୋ ତୁଣ୍ଡର ଛେଳିକୁ କୁକୁର କହି
ଆନୁଷ୍ଠାନିକ ଅସାର ଧର୍ମର ଦ୍ୱାହି ଦେଇ
ତୁଚ୍ଛ ନୈତିକତାର ନୃଶଂସ କଳରେ ପେଶି
ଚିରାଚରିତ ଛାଞ୍ଚରେ ଥୋଇ
ସରୁ ଚିକ୍କଣ କରି ଗଢ଼ିବାକୁ ଚାହିଁବେ ।
ଏଠି ସଭିଏଁ ପ୍ରମାଣ ସଂଚନ୍ତି ନିଜ ଭଲଲୋକି ର
ନିଜ ରଚିତ ନାଟକରେ ନାୟକ ନାୟିକା ହେବାକୁ
ନିସଙ୍କୋଚରେ ସତ ଉପରେ ପରଦା ଟାଣିଦେଇ
କ୍ଷଣକ ମଧ୍ୟରେ ରାମକୁ ରାବଣ
ରାବଣକୁ ରାମ ବେଶରେ ସଜେଇ ଦେଇ
କାହାଣୀର ମୋଡ଼ ବଦଳାଇ ଦିଅନ୍ତି
ଏଠି ସତ କହିଲେ ମରିବୁ ଚୁପ୍ ରହିଲେ ଫଶିବୁ
କେବଳ ମାତ୍ର ମିଛକୁ ଜୀବନର ବ୍ରତ କରିନେଲେ
ମଲାମଣିଷଟିଏ ବା ସାମାଜିକ ହୋଇ ତିଷ୍ଠିପାରିବୁ ।
ମଲା ମଣିଷଟିଏ ବା ସାମାଜିକ ହୋଇ
ବଞ୍ଚିବା ଅପେକ୍ଷା ସତ୍ୟର କ୍ଷୁର ଧାରରେ ଚାଲି
ଜୀବନ ହାରିବା କି ଗୋଠଛଡ଼ା ହୋଇ ଜିଇବା
ଶ୍ରେୟସ୍କର ନୁହେଁ କି ?
ଏ ତ ତୁଚ୍ଛ ଆଦର୍ଶବାଦ ଭାବପ୍ରବଣତାର କଥା
ହେଲେ କ୍ରୂର ବାସ୍ତବତାକୁ ସାମ୍ନା କରିବାର
ଧୈର୍ଯ୍ୟ ବଳ ସାହସ କେତେଜଣଙ୍କର ଅଛି ?
ମଣିଷ କ'ଣ ଖାଲି ନିଜ ପାଇଁ ଡରେ
ସେ ଡରେ ନିଜ ପିଲାଛୁଆ ପାଇଁ ପରିବାର ପାଇଁ
ଏମାନଙ୍କ ବିକଳ ନିରୀହ ଅସହାୟ ମୁହଁ
ତାକୁ ବାଧ୍ୟ କରେ ମୁଣ୍ଡ ନୁଆଇଁବାକୁ
ସମାଜର ମୁଣ୍ଡିଆଳ ସାଜିଥିବା
ଭଣ୍ଡ ପୂଜାରୀ , ମୌଲବୀ , ପାଦ୍ରୀ
ଭ୍ରଷ୍ଟ ନେତା ସହ ତାଙ୍କ ପାଳିତ
ହୃଦୟ ମସ୍ତିଷ୍କ ବିହୀନ କିଛି ଅସୁରପଲଙ୍କ
ଅନ୍ୟାୟ ଅନୀତି ଅବିଚାର ଆଗରେ ।
ମଣିଷର ଅସହାୟତା ଭୟକୁ ଆଶ୍ରା କରି
ଏ ରକ୍ତଶୋଷା ପରଜୀବୀ ସବୁ ବଳିୟାନ୍ ହୁଅନ୍ତି
ମାନବିକତାର ଉଛୁଳା ନଈରେ
ଜାତି ଧର୍ମ ବର୍ଣ୍ଣ ଭେଦଭାବର ବନ୍ଧ ବାନ୍ଧି
ଅଲଂଘ୍ଯ ପ୍ରତିବନ୍ଧକ ତିଆରନ୍ତି
ସତ୍ୟ ଶିବ ସୁନ୍ଦର ସେ କ୍ଷୀର ସାଗରେ
ଏକାକାର ହେବା ସ୍ୱପ୍ନର ତଣ୍ଟି ଚିପନ୍ତି
ଏ ବନ୍ଧସବୁ ନଭାଙ୍ଗିବା ଯାଏଁ ଏମାନେ ଏଇମିତି
ଶାସକ ମଧ୍ୟସ୍ଥି ଆଉ ଦଲାଲ୍ ସାଜି ଶୋଷୁଥିବେ...
କିଏ ଭାଙ୍ଗିବ ଏ ବନ୍ଧ ସବୁକୁ ?
ଉଦ୍ଧାରକାରୀ ଅବତାର ଅପେକ୍ଷାରେ
ଯୁଗ ଯୁଗ ବିତିଛି ନିଃସହାୟ ମଣିଷର
ବହୁ ମିଛ ବିପ୍ଳବ ବିପ୍ଳବୀ ଆସି
ମିଠା ସ୍ୱପ୍ନରେ ବିଭୋର କରିଛନ୍ତି କିଛି କ୍ଷଣ
ହେଲେ ଆଶାର କିରଣ ଲିଭିଗଲା ପରେ
ଆଗ ଅପେକ୍ଷା ଅନ୍ଧକାର ଆହୁରି ବହଳ ହେଇଛି
ଅପ୍ରିୟ ସତଟି ହେଲା
କେହି ଉଠେଇ ପାରିବେନି କାହାରିକୁ
ଉଠିବାକୁ ଚାହୁଁନୁ ତୁ
ବରଂ ଚିରନିଦ୍ରା ତୋର ଏକାନ୍ତ କାମ୍ଯ
ଏସବୁ ଭାବନା ତ ନିଦ୍ରାହୀନତା ଜନିତ ବ୍ୟର୍ଥତା
ବା ବେହୋସ୍ ଅବସ୍ଥାର ବିଳିବିଳା ମାତ୍ର.....।