ରାମାୟଣ କଥା
ରାମାୟଣ କଥା
ଲବକୁଶ
""""""""""
ଜୟଜୟ ଜୟ ରାମ ହେ ପୁରୁଷୋତ୍ତମ
ସେ ପାଦ ପଦ୍ମେ ପ୍ରଥମେ କରୁଛୁ ପ୍ରଣାମ ।
ବଖାଣି କହୁଛୁ ଶୁଣ ଏ ଅମୃତ ବାଣୀ
ରାମାୟଣ ଶ୍ରୀରାମଙ୍କ ପବିତ୍ର କାହାଣୀ।
ଆର୍ଯ୍ୟାବର୍ତ୍ତ ଏଭାରତେ ବିଖ୍ୟାତ ନଗରୀ
ଜନ୍ମ ଭୂମି ଶ୍ରୀରାମଙ୍କ ସେ ଅଯୋଧ୍ୟା ପୁରୀ।
ଚକ୍ରବର୍ତ୍ତୀ ଦଶରଥ ରଘୁକୂଳ ରାଣ
ପୁତ୍ରୋଷ୍ଟି ଯଜ୍ଞର ରାଜା କଲେ ଆୟୋଜନ ।
ଧର୍ମଯଜ୍ଞ ଶୂଭ ଫଳ ରାଜା ପ୍ରାପ୍ତ ହେଲେ
ଚାରିଗୋଟି ପୁତ୍ର ତିନି ରାଣୀ ଜନ୍ମ ଦେଲେ ।
ରଘୁକୂଳ ଦୀପ ଚାରି ଭାଇଙ୍କର ନାମ
ଭରତ ଶତ୍ରୁଘ୍ନ ଆଉ ଲକ୍ଷଣ ଶ୍ରୀରାମ।
ଗୁରୁ ଋଷି ବଶିଷ୍ଠଙ୍କ ଗୁରୁକୂଳେ ଯାଇ
ବିଦ୍ୟା ଅଧ୍ୟୟନ କଲେ ସେହି ଚାରିଭାଇ।
ଆଶ୍ରମରେ ଅସ୍ତ୍ରଶସ୍ତ୍ର ଶାସ୍ତ୍ର ଶିକ୍ଷାକରି
ପ୍ରାସାଦକୁ ଭାଇମାନେ ଆସିଲେତ ଫେରି ।
ସମୟ
"""""""""
ରାଜସଭାରେ କୋମଳ ବାଳକ ସେ ଦୁଇ
ରାମକଥା ସୁଲଳିତ କଣ୍ଠେ ଗଲେ ଗାଇ।
ଆହା କି ଅପୂର୍ବ ସେହି ରାମାୟଣ କଥା
ମନଦେଇ ଶୁଣୁଥାନ୍ତି ସଭାସଦ ଶ୍ରୋତା।
କଅଁଳ ଓଠରେ ସେହି ଅମୃତ କାହାଣୀ
ଠିକେ ଠିକେ ଦୁଇ ଭାଇ ଯାଆନ୍ତି ବଖାଣି ।
ମହାମୁନି ବିଶ୍ଵାମିତ୍ର ଯଜ୍ଞ ରକ୍ଷା ପାଇଁ
ରାମ ଲକ୍ଷ୍ମଣଙ୍କୁ ସାଥେ ଗଲେ ସେତ ନେଇ।
ଯଜ୍ଞ ରକ୍ଷା କଲେ ସେତ ତାଡକା ବଧିଲେ
ରାମ ଚରଣ ରେଣୁରେ ଅହଲ୍ୟା ତାରିଲେ।
ମିଥିଳାରେ ହେଉଥିଲା ସୀତା ସ୍ଵୟମ୍ବର
ରାମ ଲକ୍ଷ୍ମଣଙ୍କୁ ତହିଁ ନେଲେ ବିଶ୍ଵାମିତ୍ର।
ଲବକୁଶ
""""""""""
ଭୂମି ସୂତା ସତୀ ସୀତା ଜନକ ନନ୍ଦିନୀ
ଧରଣୀ ଗରଭୁ ଜାତ ସେ ରାଜ ଦୁଲଣୀ ।
ସର୍ତ୍ତ ରଖିଥିଲେ ଏକ ମିଥିଳା ରାଜନ
ସର୍ତ୍ତ ନୁହେଁ ପରୀକ୍ଷା ସେ ସେ ବଡ କଠିନ।
ସର୍ତ୍ତ ଯେ ପାରିବ ଭାଙ୍ଗି ସେ ଶିବ ଧନୁକୁ
ବରଣ କରିବେ ଜେମା ଏମିତି ବୀରଙ୍କୁ ।
ବିଶ୍ଵାମିତ୍ରଙ୍କ ସାଥିରେ ରଘୁ କୂଳ ନାଥ
ସ୍ଵୟମ୍ବର ସଭା ସ୍ଥଳେ ହେଲେ ଉପଗତ।
ଗୁରୁଙ୍କୁ ପ୍ରଣାମ କରି ରାଜିବ ଲୋଚନ
ଶିବ ଧନୁ ଉଠାଇ ସେ ବସାଇଲେ ଗୁଣ।
ଟଙ୍କାରନ୍ତେ ଶିବ ଧନୁ ଭାଙ୍ଗି ଯେ ପଡିଲା
ଚଉଦିଗୁ ପୁଷ୍ପ ସେତ ବରଷା ହୋଇଲା ।
ଜେମାଙ୍କ ପାଣି ଗ୍ରହଣ ଶ୍ରୀରାମ କରିଲେ
ରଘୁ କୂଳବଧୁ ସୀତା ଜାନକୀ ହୋଇଲେ ।
ସମୟ
"""""""""
ତାପରେ ଘଟିଲା ଯାହା ବିଧିର ବିଧାନ
କହୁ କହୁ ଲବ କୁସ ଦୁଃଖେ ମ୍ରିୟମାଣ।
ପିତୃସତ୍ୟ ପାଳି ରାମ ବନବାସ ଗଲେ
ସାଥିରେ ଲକ୍ଷ୍ମଣ ଆଉ ସୀତା ଯେ ଚଳିଲେ।
ମାୟା କରି ଲଙ୍କାପତି କପଟୀ ରାବଣ
ଛଦ୍ମବେଶେ ଆସି କଲା ସୀତାଙ୍କୁ ହରଣ ।
ଜାନକୀ ଙ୍କୁ ଖୋଜିଖୋଜି ଜାନକୀ ବଲ୍ଲଭ
ବୁଲୁଥାନ୍ତି ଘୋରବନେ ଲକ୍ଷ୍ମଣ ଅନୁଜ ।
ହନୁମାନଙ୍କ ସହିତ ହୋଇଲା ମିଳନ
ଲଙ୍କା ଯାଇ ହନୁ କଲେ ସୀତାଙ୍କ ସନ୍ଧାନ।
ଜାଳି ପୋଡ଼ି ଲଙ୍କା ପୁରୀ କରିଲେ ଦହନ
ଆଖି ପିଛୁଳାକେ ଲଙ୍କା ହେଲା ଶିରିହୀନ।
ବାନର ସେନା ସାଥେ ଶ୍ରୀରାମ ଲକ୍ଷ୍ମଣ
ଲଙ୍କା ଯାଇ ରାବଣକୁ କରିଲେ ନିଧନ ।
ସୀତାଙ୍କୁ ଉଦ୍ଧାର କରି ରାଜିବ ଲୋଚନ
ଅଯୋଧ୍ୟା କୁ କରିଲେ ତ ସେ ପ୍ରତ୍ୟାବର୍ତ୍ତନ।
ଅଯୋଧ୍ୟା ସିଂହାସନରେ ହୋଇ ଅଭିଷିକ୍ତ
ସୁଖରେ ପାଳିଲେ ରାଜ୍ୟ ଦଶରଥ ସୂତ ।
ଲବକୁଶ
""""""""""
ସୀତାଙ୍କ କପାଳେ ବିହି ଲେଖିଥିଲା ଦୁଃଖ
ମିଳନ୍ତା ବା ତାଙ୍କୁ କାହିଁ ରାଜରାଣୀ ସୁଖ !
ତଉଦ ବର୍ଷ କଟାଇ ସେତ ଘୋର ବନେ
ଆସିଲେ ଫେରି ସିନା ସେ ରାଜ ଭବନେ।
ବିହି ପୁଣି ତାଙ୍କ ପାଇଁ କପଟ କରିଲା
ଅମା ଅନ୍ଧକାର ପୁଣି ଘନେଇ ଆସିଲା ।
ମନ୍ଦମତି ପ୍ରଜା କେହି ସୀତାଙ୍କ ନାମରେ
ଅପଯଶ ରଟିଲାସେ ଅଯୋଧ୍ୟା ନଗରେ ।
ମୋଚନ କରିବା ପାଇଁ ପ୍ରଜାଙ୍କ ସନ୍ଦେହ
ପ୍ରଜାନୁରଞ୍ଜନ ରାମ ହୋଇଲେ ନିର୍ଦ୍ଦୟ।
ସୀତାଙ୍କ ପ୍ରତି ଶ୍ରୀରାମ ଅନ୍ୟାୟ କରିଲେ
ମିଛ ସନ୍ଦେହରେ ତାଙ୍କୁ ବର୍ଜ୍ଜନ କରିଲେ ।
ଘୋରବନେ ଅନ୍ତସତ୍ତ୍ୱା ରାଜରାଣୀ ସୀତା
ଭାଗ୍ୟ କୁ ଭେଟିଲେ ତାଙ୍କୁ ବାଲ୍ମୀକି ମହାତ୍ମା।
ଆଶ୍ରମରେ ନେଇ ତାଙ୍କୁ ଆଶ୍ରୟ ସେ ଦେଲେ
ସେହିଠାରେ ତପସ୍ୱିନୀ ଭାବେ ସେ ରହିଲେ ।
ଜନକ ନନ୍ଦିନୀ ସେତ ରଘୁକୂଳ ରାଣୀ
ଆଶ୍ରମ ବାସିନୀ କଲା ଭାଗ୍ୟ ତାଙ୍କୁ ଆଣି।
ସ୍ୱାମୀଙ୍କ ମର୍ଯ୍ୟାଦା ଆଉ ନିଜ ସ୍ୱାଭିମାନ
ଆଶ୍ରମେ ଚଳନ୍ତି ଦେଇ ସେଥିପ୍ରତି ଧ୍ୟାନ।
ଦାସ ଦାସୀ ଖଟୁଥିଲେ ଦିନେ ଯାହା ପାଇଁ
ଦାସୀ ପରି ଖଟିଲେ ସେ ନିଜେ ନିଜ ପାଇଁ।
ଜଙ୍ଗଲ ରୁ ଜାଳ ସେତ ସଙ୍ଗ୍ରହ କରନ୍ତି
ଝରଣା ରୁ କଳସୀରେ ଜଳ ସେ ଆଣନ୍ତି।
ଆଶ୍ରମକୁ ଖରକନ୍ତି ରୋଷେଇ କରନ୍ତି
ଗରଭେ ସନ୍ତାନ ତାଙ୍କ ଯତନ ନିଅନ୍ତି।
ସମୟ
"""""""""
ଚାହୁଁ ଚାହୁଁ ପ୍ରସବର ବେଳ ଉପଗତ
ଜମଜ ସନ୍ତାନ ସୀତା କରିଲେତ ଯାତ।
ମହର୍ଷି ବାଲ୍ମୀକି ଦେଖି କୁଣ୍ଡଳୀ ତାଙ୍କର
ଲବ କୁସ ନାମ ଦେଲେ ଦୁଇ ଶିଶୁଙ୍କର।
ଧୀରେ ଧୀରେ ଶିଶୁ ଦୁଇ ବଡ଼ ଯେବେ ହେଲେ
ଅସ୍ତ୍ରଶସ୍ତ୍ର ଶାସ୍ତ୍ର ବିଦ୍ୟା ସେତ ଶିକ୍ଷା କଲେ।।
ଲବକୁଶ
""""""""""
ସେତ ଲକ୍ଷ୍ମୀ ସରସ୍ଵତୀ ଦୁର୍ଗା ସ୍ୱରୂପିଣୀ
ସନ୍ତାନ ଦୁହିଁଙ୍କୁ କଲେ ସେତ ସ୍ୱାଭିମାନୀ।
ଅସ୍ତ୍ରଶସ୍ତ୍ର ଚାଳନା ଠୁ ଶାସ୍ତ୍ର ଅଧ୍ୟୟନ
ସବୁଦିଗ ପ୍ରତି ସେତ ଦେଇଛନ୍ତି ଧ୍ୟାନ।
ତାଙ୍କ ଯୋଗୁ ସ୍ୱାବଲମ୍ବୀ ତାଙ୍କରି ସନ୍ତାନ
ମାଆଙ୍କ ଆଶିଷେ ଦୁହେଁ ଆଜି ବଳିୟାନ।
ମାତାଙ୍କ ସହ ବିତାଇ ସମୟ କଠିନ
ଶୈଶବକୁ ଦେଇଛନ୍ତି ତାଙ୍କ ବଳିଦାନ।
ଆମେ ସେହି ହତଭାଗ୍ୟ ସୀତା ମାତା ସୂତ
ଜମଜ ଭାଇ ଆମେତ ଆମେ ଲବକୁଶ।
ସମୟ ଚକ୍ରରେ ଆସି ଆମେ ଦୁଇ ଭାଇ
ରାମଙ୍କୁ ଶୁଣାଇଲୁ ରାମାୟଣ ଗାଇ ।