ରାକ୍ଷୀ
ରାକ୍ଷୀ
ରାକ୍ଷୀ ଆମ ସାକ୍ଷୀ ପବିତ୍ର ବନ୍ଧନ
ନୁହେଁ ଏ ରେଶମ ଡୋରି ।
ଭାଇ ଭଉଣୀଙ୍କ ସେନେହ ସରାଗ
ରହିଛି ଏଥିରେ ଭରି ।୧।
ରକ୍ଷା ବନ୍ଧନ ଏ ଉତ୍ସବ ଆମର
ପୁରାତନ ଉତ୍କଳର ।
ପରମ୍ପରା ସଂସ୍କୃତି ବହନ କରି
ରହିଛି ଚିର ଭାସ୍ୱର ।୨।
ଯହିଁ ଥାଉ ଭାଇ ରାକ୍ଷୀଟିଏ ବାନ୍ଧି
ଭଉଣୀ ମନାସେ ଭଲ ।
ସୁଖରେ ରହିଲେ ଭାଇଟି ତାହାର
ତାହା ପାଇଁ ସବୁ ଭଲ ।୩।
ସେନେହ ଶରଧା ଆଦରର ଡୋରି
ରେଶମୀ ରାକ୍ଷୀଟି ପରା ।
ଭାଇ ହାତେ ରାକ୍ଷୀ ବାନ୍ଧି ଭଉଣୀଟି
ହୋଇଥାଏ ଆତ୍ମହରା ।୪।
ଦାନବେନ୍ଦ୍ର ମହାବଳୀ ବାମନଙ୍କୁ
ବାନ୍ଧିଥିଲେ ଯେଉଁ ଡୋରେ ।
ବାନ୍ଧିଛି ଭଉଣୀ ଭାଇକୁ ତାହାର
ସେହି ବନ୍ଧନ ଡୋରରେ ।୫।
ସାରା ଜୀବନ ତା ଭଉଣୀ ସୁରକ୍ଷା
କରିବ ଭାଇ ତାହାର ।
ଭଉଣୀର ରାକ୍ଷୀ ଭାଇକୁ ତାହାର
ପ୍ରୀତିପୂର୍ଣ୍ଣ ଉପହାର ।୬।
ଭାଇ ଭଉଣୀଙ୍କୁ ଏକାତ୍ମ ଡୋରରେ
ବନ୍ଧନ କରିଛି ରାକ୍ଷୀ ।
ଭଉଣୀର ଭାଇ ଭାଇର ଭଉଣୀ
ରାକ୍ଷୀ ଅଛି ତାର ସାକ୍ଷୀ ।୭।
ଭାବର ବନ୍ଧନ ରାକ୍ଷୀଟି ଆମର
ଗଉରବ ପରମ୍ପରା ।
ବହନ କରିଛି ମହକରେ ତାର
ଅମୃତମୟ ଏ ଧରା ।୮।
