ରାବଣର ଆତ୍ମଦାହ
ରାବଣର ଆତ୍ମଦାହ
କିଏ ଚିହ୍ନିଛି ଏଠି ରାବଣକୁ?
କିଏ ଅବା ପଢିଛି ରାବଣର ଇତିବୃତ୍ତି?
ସର୍ବଶକ୍ତିମାନ ସର୍ବଜ୍ଞ ହୋଇବି
ଗୋଟିଏ ମାତ୍ର ଭୁଲ୍ ପାଇଁ ନାଶ ଗଲା
ମହାବଳୀ ମହାଜ୍ଞାନୀ ଅଥଚ ଅହଙ୍କାରୀ
ଲଙ୍କାପତି ତ୍ରିପୁର ବିଜୟୀ ବିଶ୍ରବା ନନ୍ଦନ
ମହାକାଳ ଉପାସକ ଶିବଭକ୍ତ ରାବଣ।
ଶହ ଶହ ଅସଂଖ୍ଯ ଅଗଣିତ ପାପାଚାରେ
ଆପଣାର ହାତକୁ ରକ୍ତରଞ୍ଜିତ କରି
ଅନ୍ତରାତ୍ମାରେ କଳି କଳୁଷ ଭରି
ଭଦ୍ରମୁଖାଧାରୀ ବଳିଷ୍ଠ ପାପିଷ୍ଠ ତିମିଙ୍ଗିଳ
ମହାମାନ୍ଯ ବଡପଣ୍ଡାଗଣ କରନ୍ତି
ଦଶହରାର ସଂଧ୍ୟାରେ ରାବଣ ପୁତ୍ତଳିକା ଦହନ
ସଜାଇ ଆପଣାକୁ ମର୍ଯ୍ୟାଦା ପୁରୁଷୋତ୍ତମ
ଭଗବାନ ଅବତାର ଅଯୋଧ୍ୟା ନରେଶ ଶ୍ରୀରାମ।
ଛଦ୍ମବେଶୀ ବଡ଼ପଣ୍ଡାଙ୍କ ମନ ତଳେ
ଦୁର୍ବାର ଲାଳସା ପିପାସା ଖେଳ ଖେଳେ
ଆସୁରିକ ପ୍ରବୃତ୍ତି ତହିଁ କରଇ ରାଜୁତି
ବ୍ଯାଭିଚାରେ ଲିପ୍ତ ରହି ଭିଆଏ ଅନ୍ଯାୟ ଅନୀତି
ତଥାପି ଜନମାନସରେ ନିଜକୁ ସଜାଏ ଶ୍ରୀରାମ।
ଦିନେ ସୁଦ୍ଧା ଜାଣି ନ ଥିବେ ଶ୍ରୀରାମଙ୍କ ଗାଥା
କି ଜପି ନଥିବେ ଶ୍ରୀରାମାୟଣ କଥା
ମାନବ ରୂପୀ ମହାମାନୀ ରାବଣ ପ୍ରକାରାନ୍ତରେ
କରନ୍ତି ଆପଣାର ପୁତ୍ତଳିକା ଦହନ
କରୁଥାନ୍ତି ଆତ୍ମ ପ୍ରବଞ୍ଚନା ଅହରହ ଚିରଦିନ ।