ପୁରୁଷୋତ୍ତମ ଦେବ 22
ପୁରୁଷୋତ୍ତମ ଦେବ 22
ପୁରୁଷୋତ୍ତମ ଦେବ 22
(ଐତିହାସିକ କାବ୍ୟାଂଶ)
ବୃକ୍ଷମୂଳେ ଜଗନ୍ନାଥ, ବଳରାମ
ବସିଥିଲେ କ୍ଳାନ୍ତହୋଇ,
ତଣ୍ଟି ଶୁଖିଯାଏ ଶୋଷରେ ବୈଶାଖୀ
ଖରା ମାରେ ଚାଇଁ ଚାଇଁ।
ଧଳା, କଳା ଘୋଡା ବନ୍ଧା ହୋଇଥିଲେ
ଅଦୂରେ ଗଛ ଛାଇରେ,
ଦେଖିଲେ ଦୂରରୁ ଆସୁଛି ନାରୀଏ
ଦହି ପସରା ମୁଣ୍ଡରେ।
ନାଁ'ତା ମାଣିକ "ଦହି ନବ ଦହି"
ବୋଲି ଛାଡୁଥାଏ ଡାକ,
ବଳରାମ କହିଲେ "ଆରେ କହ୍ନେଇ !
ତାକୁ ଟିକେ ଏଣେ ଡାକ।"
ଜଗନ୍ନାଥଙ୍କର ଡାକରେ ମାଣିକ
ଗଛମୂଳେ ହେଲା ଆସି,
ଲାଗିଲା ସତେକି ଯଶୋଦା ଜନନୀ
ଆସୁଛନ୍ତି ହସି ହସି।
ସୁଠାମ କାଳିଆ ଚିକ୍କଣ ଦେହକୁ
ବାହୁରେ ତା ପାଟଫୁଲି,
ଦୁଇ ବାହୁ ଭରା ପିତଳ ଖଡୁରେ
ନାକେ ନୋଥ ଥିଲା ଝୁଲି।
କଳା ମଚ ମଚ କେଶ ,ବାନ୍ଧିଥିଲା-
ଜୁଡା ଜଡାତେଲ ମାଖି,
ଝୁମୁଁ ଝୁମୁଁ ଗୋଡ ପାଉଁଜୀ,ମଥାରେ
ପସରା ଥିଲା ସେ ରଖି।
ଗୋଡେ ରୂପା ମୁଦି,ଦୁଇପାଦେ ପିନ୍ଧି-
ଥିଲା ପିତଳର ବଳା,
କାନେ ଫୁଲ,ବେକେ ଗୁଞ୍ଜାମାଳି; ଅଣ୍ଟା-
ସୁତା ପିନ୍ଧିଥିଲା ବାଳା।
ମାଣିକ ବୋଇଲା," ଚିକ୍କଣ କାଳିଆ !
କେଉଁଠି ତୋ ଘର କହ?
ଏ ଗୋରା ପିଲାଟି ନିଜ ଭାଇପରି
ଦେଖା ଯାଉନିତ ପୁଅ। "
ହସି ଜଗନ୍ନାଥ ବୋଇଲେ "ମାଣିକ !
ନାମଟି ମୋର ହରିଆ,
ନିଜ ବଡଭାଇ ଏ ଗୋରା ପୁଅଟି,
ନାଆଁଟି ତାଙ୍କ ବଳିଆ।
ଉତ୍କଳର ଗଜପତିଙ୍କର ଆମେ
ଦୁଇ ପାଇକ ସଇନ,
ଯାଉଅଛୁ କାଂଚୀଗଡେ କରିବାକୁ
ଆମ ରାଜାପାଇଁ ରଣ।
ପ୍ରଚଣ୍ଡ ଖରାରେ ଝୋଲା ଝାଇଁ ମାରି-
ଲାଣି ଲୋ ମାଣିକ ମାଆ,
ଦହିପାଣି ମୁନ୍ଦେ ଦେଲେଲୋ ଜନନୀ
ହେବ ତୋର ବଡ ଦୟା।"
କ୍ରମଶଃ- ------