ପୁରୁଷ କ୍ରନ୍ଦନର ଗଭୀରତା
ପୁରୁଷ କ୍ରନ୍ଦନର ଗଭୀରତା
ପୁରଷ ବି ଗୋଟେ ଜୀବନ
ସମସ୍ତେ ଦେଖିଛନ୍ତି ନାରୀର ଆଖି ଲୁହ
କେବେ କିଏ ମାପିଛନ୍ତି ପୁରୁଷତ୍ଵର
ଶକ୍ତ ହୃଦୟର ଅକାତ କୋହକୁ।
ପୁରୁଷ ବି କାନ୍ଦେ
ପୁରୁଷ ବି ଲୁହ ନିଗାଡେ
ଛଳଛଳ ଆଖିରେ କଳକଳ ପାଣି ପରି
ବହିଯାଏ ଅମାନିଆ ଲୁହ।
ପିତୃତ୍ଵର ନାମ ନେଇ ପୁରୁଷ ଯେବେ
ହଡ଼ା ବଳଦ ପରି ବାହିନିଏ
ସଂସାରର ରଥକୁ ନିଜ କାନ୍ଧରେ
କରେ ନାହିଁ ଅଭିଯୋଗ
ଯେବେ ସେ ହଡ଼ା ଅପାରଗ ବନିଯାଏ
ଗୁହାଳର କେଉଁ ଏକ କୋଣରେ
ମୁଁହ ଲୁଚାଇ ପଡ଼େ ସେତେବେଳେ
କାନ୍ଦେ ସେ ବଳଦ ରୂପୀ ପୁରୁଷଟି।
ଗାଁ ମୁଣ୍ଡର ବରଗଛ ପରି
ନିଜ ଛାଇରେ ଆଶ୍ରିତ ଦିଏ ଅନେକ ଜୀବନ
ବର ଓହଳରେ ଓହଳି ଆନନ୍ଦ ଦିଏ ଅନ୍ୟକୁ
ଯେବେ ସେ ବରଗଛ ରୂପୀ ବାପଟି
ଥୁଣ୍ଟା ହୋଇ ଗାଁ ମୁଣ୍ଡରେ ପଡି ରହେ
ବର୍ଷା କାକରରେ ଅଦେଖା ହୋଇ
ସେତେବେଳେ କାନ୍ଦେ ସିଏ।
ନିଜ ଛାତିର ଏକ ଖଣ୍ଡକୁ ଦାନ କରିବାକୁ
ଯାଇ ନିଜେ ବିକି ହୋଇଯାଏ
ନିଜ ଭିଟାମାଟିକୁ ବି ବିକି ଦିଏ
ସମାଜ କୁହେ କାଳେ କନ୍ୟାଦାନ ମହାପୁଣ୍ୟ
ହେଲେ କେଉଁ ସମାଜ କେବେ ବୁଝିଛି
ସେ ପୂଣ୍ୟ କରୁ କରୁ କେତେ କ୍ଳେଶ ସହେ
ସେ ବାପାଟି
ଜୀବନର ବୈଶାଖୀ ଝାଞ୍ଜି ପବନର ଅସହ୍ୟତା
କରଜର ହାଡ଼ଭଙ୍ଗା ଶୀତକୁ କେହି ଜାଣନ୍ତିନି
କୋହସହା ଛାତିକୁ ଆହାଃ ବି କୁହନ୍ତିନି।
ରାକ୍ଷୀ ପୁନେଇରେ ଯେବେ ହାତ ରାକ୍ଷୀକୁ
ଝୁରୁଥାଏ
ପିଲାଦିନର ଖଟା ମିଠା ସ୍ମୃତି ଦହଗଞ୍ଜ କରୁଥାଏ
କେହି କେବେ ଦେଖିଛ ସେ ଭାଇ
ହୃଦୟର ଆଦ୍ରତାକୁ।
ନିଃସଙ୍ଗତାକୁ ଆଦରି ଜୀବନର ସାୟାହ୍ନରେ
ଜୀବନ ସଙ୍ଗିନୀର ବିରହରେ
ମୃତ୍ୟୁର ଅପେକ୍ଷାରେ
ମୋକ୍ଷତାର ଆବାହନ କରିବାକୁ
କିଏ ଦେଖିଛ
କିଏ ବୁଝିଛ
ସେ ବେସାହାରା ସ୍ଵାମୀର ହୃଦୟକୁ।
କେବେ ସମ୍ପର୍କର ତଉଲରେ
କେବେ କର୍ତ୍ତବ୍ୟର ଚକ୍ରବ୍ୟୁହରେ
ପୁରୁଷ ବି କାନ୍ଦେ।
କେହି ଖୋଜନ୍ତିନି ଏକ ପୁରୁଷର ଲୁହର କାରଣ
କେହି ଭିଜନ୍ତିନି ତା' କୋହର ବାଦଲ ଫାଟି
ହେଉଥିବା ବର୍ଷାରେ।
ନିଜ ପୁରୁଷାର୍ଥର କାୟାକୁ ଜାବୁଡ଼ି ଉପରେ
ହସି ହସି ଭିତରେ ଲୁହ ଗଡା଼ଏ ପୁରୁଷ।
ଆଖିର ଲୁହ ଦେଖି ମାଇଚିଆ ବୋଲି କହିବ
କାଳେ କିଏ
ବୋଧେ ଡରୁଥାଏ ପୁରୁଷ।
ତା'କୁ ବି କାନ୍ଦି ଆସେ
କେବେ ସନ୍ତର୍ପଣରେ
କେବେ ଲୁକ୍କାୟିତରେ।