ପୁନଶ୍ଚ
ପୁନଶ୍ଚ
କେତେ ବା ଦୂରତା
ଶୀଳ ଓ ଶୀଳପୁଆ ଭିତରେ
ସେତିକି ଦୂରତାକୁ ଲଂଘିବାକୁ ବେଳେବେଳେ…
ଖୁବ୍ ବେଶୀ ନିଅଣ୍ଟ ପଡ଼େ ଆୟୁଷ,
କେବଳ ମୁଖଶାଳାରୁ ହିଁ ଫେରିବାକୁ ପଡ଼େ
ପାପୁଲିରେ ଗଡେଇଦେଇ ଭରା କଳସ ।
ଯେବେ ଯେବେ ବେସୁରା ହୋଇଯାଏ
ଦରୋଟି ଓଠର ଗୀତ-
ଏଇ ଆସୁଛି କହି ଠକି ଚାଲିଯାଏ ମିତ,
ସେତେବେଳେ କିଏ ଥାଏ ଦେଖିବାକୁ
ଭାଗ୍ୟର ପଥର ତଳେ ମଉଳି ଯାଉଥିବା
ଶେତା ଶେତା ଆଖିର ବହଳ ଲୁହ;
ରୋଷେଇ ଘର ଅଗ୍ନି କୋଣେ
ରକ୍ତ ବତୁରା ମୁଠାମୁଠା ମିଠା ସ୍ଵପ୍ନର ମୋହ ।
ଝଡ଼ ଥମିବା ପରେ ବି
ଦୀପ ନୁହେଁ ଏକା ଏକା ଜଳୁଥାଏ ସଳିତା
ନିଜକୁ ଉଜେଇଁ ଦେବାର ନିଷ୍ଠାରେ
ଆହୁରି ବେଶୀ ନଉଁଥାଏ ନହନହକା ଅଣ୍ଟା
ତଥାପି ଚାଲିଥାଏ ଘର ସଜଡ଼ା,
ପିଠି ଥାପୁଡେଇ ଗାଉଥାଏ ଧୋ’ରେ ବାୟା ଧୋ
ତ’ ପୁଣି ନିଜ ଗୀତରେ ନିଜେ
ଚମକୁ ଥାଏ ଥରକୁ ଥର
ଭୁଲି ଯାଉଥାଏ ପ୍ରାର୍ଥନାର ପ୍ରଥମ ଅକ୍ଷର । ।