ପଥ ଓ ପଥିକ
ପଥ ଓ ପଥିକ
ପ୍ରଚଣ୍ଡ ନିଦାଘେ ଛାଇ ଖୋଜୁଥିବା
କ୍ଳାନ୍ତ ପଥିକେ ଚାହିଁ।
ପଥ କହେ ଭାଇ ! ଗଛ ନାହିଁ ଏଠି
ଛାଇ ମିଳିବ ହେ କାହିଁ !
ଜୀବନରେ ତୁମେ ଆଜିଯାଏ କେତେ
ଗଛ ଲଗାଇଛ ଭାଇ ?
କହିଲା ପଥିକ ମୋ ଜୀବନେ ମୁହିଁ
ଗଛଟେ ଲଗାଇ ନାହିଁ।
ପଥ କହେ ତେବେ ଛାଇ ନମିଳିଲେ
ମନ କିମ୍ପା ଦୁଃଖ କର।
କର୍ମ ବିନା ଫଳ କିପରି ସମ୍ଭବ
ଏକଥା ମନେ ବିଚାର।
ଛାଇ ଚାହଁ ଯଦି ଜୀବନେ ଅନ୍ତତଃ
ଗଛଟେ ଲଗାଅ ଯାଇ ।
ପାନ୍ଥ କହେ କେତେ ଦିନ ବା ବଞ୍ଚିବି
ଗଛ ଲଗା କାହା ପାଇଁ ?
ପଥ କହେ ଯଦି ଏହି କଥା ଭାବି
କେହି ନ ଲଗାନ୍ତି ବୃକ୍ଷ।
ସବୁଜ ଧରଣୀ ମରୁ ପାଲଟିବ
ଦିଶୁଛି ମୋତେ ପ୍ରତ୍ୟକ୍ଷ।
ଫଳ ଆଶା ଛାଡ଼ି ସମାଜର ହିତେ
ଗଛଟେ ଲଗାଅ ଭାଇ।
ତୁମେ ନଥିଲେ ବି କେହିନା କେହିତ
ପାଇବେ ସେ ଗଛ ଛାଇ।
ଜୀବନେ ଅନ୍ତତଃ ଗଛଟେ ଲଗାଇ
କର ତାହାର ସୁରକ୍ଷା।
ଜନ ହିତେ ଗଛ ଲଗାଇବା ହେଉ
ପ୍ରତି ମାନବର ଦୀକ୍ଷା।
ପାନ୍ଥ କହେ ଆଜି ଲଭିଲି ମୁଁ ଶିକ୍ଷା
ଗଛ ଲଗାଇବି ଯାଇ।
ଗଛଲଗା ଖାଲି ନିଜ ପାଇଁ ନୁହେଁ
ସମାଜର ହିତ ପାଇଁ।