ପ୍ରତୀକ୍ଷା
ପ୍ରତୀକ୍ଷା
ତୁମକୁ ମୁଁ ଖୋଜୁଛି,
ଅନେକ ଯୁଗରୁ......
ମୋ ଜୀବନ ପରିଧିରେ,
କେନ୍ଦ୍ରବିନ୍ଦୁ ତୁମେ......
ବିଜନତାକୁ ଭେଦକରି,
ଥିରି ଥିରି ତୁମେ ଆସ....
ଦଲକାଏ ଫଗୁଣର ପବନ ଭଳି
ମାଘର ହାଡ଼ ଥରା ଶୀତ ହୋଇ
ଶ୍ରାବଣର ବର୍ଷା ପରି,
ତୁମକୁ ଅନୁଭବ କରେ ନିଶବ୍ଦ ରାତିରେ
ଅନ୍ଧାରର ଛାଇ ଆଲୁଅରେ,
ମେଞ୍ଚା ମେଞ୍ଚା ସ୍ବପ୍ନ ହୋଇ..
ହଜି ଯାଅ ଦିଗବଳୟର ଆରପାରେ
ତଥାପି -ତୁମ ପାଇଁ ଏ ପ୍ରତୀକ୍ଷା,
ଗୁଡ଼ାଏ ଶୂନ୍ୟତାକୁ ଜାବୁଡି ଧରି
ପାଇଯିବାର ଛଳନାରେ ନିଜକୁ ଭୁଲାଏ
ବଞ୍ଚିବି କେମିତି କୁହ?
ବାହୁନି ବାହୁନି କାନ୍ଦୁଥାଏ,
ଲୁହ ସବୁ ପିଇଯାଏ
ଅତୃପ୍ତ, ଅସ୍ଥିର, ନିଃସଙ୍ଗ, ବ୍ୟାକୁଳ
ତଥାପି କାନ୍ଦିବା ମନା.....
ଏ ପ୍ରତୀକ୍ଷା କାହାପାଇଁ?
ମୋର ଏମିତି କେହି ନାହିଁ ଆସିବା ପାଇଁ
ବିରହୀ କପୋତି ଭଳି,
ଚାହିଁଛି.. ଚାଁହୁଥିବି.. ମୋ ମୁକ୍ତି ପାଇଁ
ମୋ ମନକୁ ବୁଝିଲା ଭଳି ମନଟିଏ ପାଇଁ......
ଏମିତି ମନଟିଏ କାହିଁକି ଦେଇଛ ପ୍ରଭୁ
ମୁଁ ବ୍ୟାକୁଳ,
ମୁଁ ଅସ୍ଥିର,
ମୁଁ ଅଧିର.............
ନିଷ୍ପାପ ଶିଶୁର ମନ ନେଇ
ଅନେକ ଖୋଜିଛି.......
ମୋ ଆତ୍ମାକୁ ଭଲ ପାଉଥିବା ମଣିଷକୁ...
କିନ୍ତୁ ଏବେ ମୁଁ ବୁଝୁଛି.......
ତୁମେତ ମୋର ଆଦି ଓ ଅନ୍ତ,
ତୁମେ ଚିରକାମ୍ୟ ଇପ୍ସିତ,
ପୁରୁଷୋତ୍ତମ.....
ତୁମେ ହିଁ ଆରମ୍ଭ ତୁମେ ହିଁ ଶେଷ,
ମୋ ଜୀବନ ଉପବନେ ବାଞ୍ଚିତ,
ପ୍ରିୟତମ.......
ବୋଧହୁଏ ତୁମପାଇଁ,
ମୋର ପ୍ରତୀକ୍ଷା ପ୍ରଭୁ,
ଏ ଆତ୍ମାକୁ ତୁମେ ହିଁ ଚିନ୍ହିଛ
କାରଣ ଭୁଲ ତୁମେ ତ କରିଛ,
ମତେ ତୁମେ ସୃଷ୍ଟି କରି......
ତୁମ ବାହୁଛାୟା ତଳେ,
ପାଦ ପଦ୍ମରେ ସ୍ଥାନ ଦିଅ ପ୍ରଭୁ,
ଏ ପ୍ରତୀକ୍ଷାର ଅନ୍ତହେଉ ll