ପୃଥିବୀ ଆମରି ମାଆ
ପୃଥିବୀ ଆମରି ମାଆ
ପୃଥିବୀ ପୃଷ୍ଠରେ ଜନମ ଆମର
ପୃଥିବୀ ଆମର ମାଆ
ତା କୋଳେ କରନ୍ତି ସଭିଏଁ ବାସ
ଅଟଇ ସେ ସର୍ବଂସହା।
ତା କୋଳେ ଶୋହେ କାନନ କେଦାର
ମନ୍ଦିର ପର୍ବତ ଝର
ନୀଳ ସାଗର ତା ମନ ମୋହଇ
ଉପମା ନାହିଁ ଯାହାର।
ଖଣି ଓ ଖାଦାନ ଶିଳ୍ପ ଅନୁଷ୍ଠାନ
ସବୁ ଅଛି ତା ବୁକୁରେ
ତାହା ପାଇଁ ସବୁ ଜୀବ ଜଗତ
ଅଛନ୍ତି ସୁଖ ଶାନ୍ତିରେ।
ତାହାରି କୋଳେ ସେ ସଭିଙ୍କୁ ଧରିଛି
ସେନେହ ପରଶ ଦେଇ
ବୁକୁ ଚିରି ତା ସୁନା ଫସଲ ଫଳାଏ
ଆମରି ଚଷା ଭାଇ।
ପରିବେଶ ତାର ପ୍ରଦୁଷିତ କରେ
ଆଜିର ସଭ୍ୟ ମଣିଷ
ସେଥିପାଇଁ ଦୁର୍ବିପାକ ଦେଖାଦିଏ
ହେବ କି ପୃଥିବୀ ଧ୍ଵଂସ. ?
ଆସରେ ସଭିଏଁ ପୃଥିବୀ ମାଆର
ସନ୍ତାନ ଏକାଠି ହୋଇ
ପୃଥିବୀ ମାଆର ସୁରକ୍ଷା କରିବା
ମନ ପ୍ରାଣ ଢାଳିଦେଇ।