ପ୍ରଶାନ୍ତିରେ ସନ୍ଧ୍ୟା
ପ୍ରଶାନ୍ତିରେ ସନ୍ଧ୍ୟା
ପ୍ରଶାନ୍ତି ଷ୍ଟେସନେ ଦେଖଇ
ଅସ୍ତ ହୁଅନ୍ତି ରବି
ହର ଦିଗବଳୟ ସେପାରେ
କଳି ପାରୁନି ଛବି |
ଦୂରୁଁ ବିହଙ୍ଗମେ ଫେରନ୍ତି
ନୀଡ଼ ବାହୁଡା଼ ବେଳ
ନୀଡ଼ରେ ଶାବକେ ଅନାଇ
ଥିବେ କରିଣ ଗୋଳ |
କ୍ଷେତରୁ ଫେରନ୍ତି ଚାଷୀଏ
ଧରି ହଳବଳଦ
ବତ୍ସା ପଲ ସହ ଗୋରୁ
କରି ପଥେ ଶବଦ |
ଦିଗହରା କ୍ଷୁଦ୍ର ପକ୍ଷୀଟି
ଉଡ଼ିଯାଏ ଆକାଶେ
ପୁଟ୍ଟପର୍ତ୍ତୀ ଗ୍ରାମେ ନିରେଖି
ଡେଣା ଝାଡ଼ିଣ ଭାସେ |
ଏକ ମୁଁହା ହୋଇ ଗମନ୍ତି
କେତେ ବିଦେଶୀ ଭକ୍ତ
ପ୍ରଶାନ୍ତିର ସନ୍ଧ୍ୟା ଭାବନା
ସର୍ବେ କରେ ମୋହିତ |
ଚିତ୍ରାବତୀ ନଦୀ ଉଛୁଳି
ପଡେ କେତେ ଆନନ୍ଦେ
ସାଇପାଦେ ଦେଇ ସମର୍ପି
ଗାଏ ମଧୁର ଛନ୍ଦେ |
ଛୋଟ ମୋଟ ଯେତେ ପାହାଡ଼
ସାଇ ନାମେ ଗୁଂଜିତ
ମୁଖରିତ ହେଉ ଅଛନ୍ତି
ଗାଇ ସନ୍ଧ୍ୟା ସଂଗୀତ |
ସୀମନ୍ତିନି ଗଣ ଦୁଆରେ
ଜାଳି ସଂଜ ବଳିତା
ଘରେ ଘରେ ପୂଜି ସାଇଙ୍କୁ
ଦେଇ ମନ ବାରତା |
ପ୍ରଶାନ୍ତିର ସନ୍ଧ୍ୟା ବୁଡ଼ାଏ
ସାଇ ପ୍ରେମରେ ନିତି
ଆସ୍ତିକ ଭାବନା ଜଗାଇ
ବାଣ୍ଟି ମାନବେ ପ୍ରୀତି |
ସେ ଅଭୁଲା ସନ୍ଧ୍ୟା ଏବେବି
ଜମା ଭୁଲୁନି ମନୁଁ
ନିତି ସନ୍ଧ୍ୟାକାଳ ଆସିଲେ
ରୋମାଞ୍ଚିତ ମୋ ତନୁଁ |