ପ୍ରକୃତିର ପ୍ରେମ
ପ୍ରକୃତିର ପ୍ରେମ


ଭିଜାଭିଜା ସ୍ମୃତି ପ୍ରିତି ପଲକରେ ଅନ୍ଧାରେ ଆଲୋକ ସମ
ଝୁଲିଝୁଲି ଆସେ ଝରା ଯଉବନ ଫୁଟି ଫୁଟି ଉଠେ ପ୍ରେମ ।
ପହଲି ପ୍ରଣୟ ଆଦ୍ୟ ଅନନ୍ତ କୋଟି ଭବନର ସ୍ୱର
ଗାଏ ସମୟର ମଧୁର ଗୁଞ୍ଜନ ପୁଲକିତ ହୁଏ ପ୍ରାଣ ।
ବିନ୍ଦୁ ବିନ୍ଦୁ ଆଶା ସିନ୍ଧୁଏ ଆକାର ଚେନାଏ ଚେନାଏ ହସ
ହଜି ହଜି ଯାଏ ନୀରବ କାହାଣୀ ମହମହ ଝରେ ବାସ।
ମିଳନେ ଆନନ୍ଦ ଖୁସିର ଲହର ଝରାଏ ଭାବନା ଜ୍ୟୋତି
ଏପାଖେ ସେପାଖେ ସପନ ଭରିଛି ଅବୁଝା ଆହୁରି ରାତି।
ଅଙ୍କାଅଙ୍କା ଆୟୁ ଅଙ୍କିତ ଶ୍ରାବଣ ରୂପରେ ରୂପିତ ମନ
ହଳାହଳ ସ୍ୱାଦ ଅଙ୍ଗରେ ଭୂଷିତ ଶେଷରୁ ଆରମ୍ଭ ଚିହ୍ନ।
ସକଳ ଆଶ୍ରିତ ନବ ଉନ୍ମାଦ ଭବ୍ୟ ସୁନ୍ଦର ଭାଷା
ହୃଦୟେ ହୃଦୟ ନୂତନ ଅଧ୍ୟାୟ ସରିନି ଏ ଯାଏଁ ଆଶା।
ଓଠେ ଓଠେ ଭରା ଅଫେରନ୍ତା ଛିଟା ଫଗୁଣ ଗାଉଛି ଗୀତ
ସବୁଜ ସବୁଜ ଚିନ୍ତା ଓ ଚେତନା ରଙ୍ଗରେ ଧୋଉଛି ହାତ।