ପ୍ରିୟତମ
ପ୍ରିୟତମ
ପ୍ରତି କ୍ଷଣେ କଥାହୁଏ
ଦୁଃଖ ସୁଖ ବାଣ୍ଟେ
ଜନମରୁ ମରଣର
ମୁକ ସାକ୍ଷୀ ସିଏ;
ନିମିଷେ ପାଖ ନଛାଡେ
ଛାଇ ହୋଇ ରହିଥାଏ,'
'ଭାବନା'ସେ ମୋ ପ୍ରିୟତମ
ମୁଁ ତା ପାଗେଳି ପ୍ରେମିକାଟେ।
କେବେ କରେ ରାଣୀ ମୋତେ
କେବେ ଭିକାରୁଣୀ
ସମୁଦ୍ରରେ ନିଆଁ ଲଗାଏ
ମରୁଭୂମିରେ କରେ ମରୁ ନିର୍ଝରଣୀ ;
ଖୁସିର ପାହାଡ ଦିଏ
ଦୁଃଖର ବନ୍ୟା ଆଣିଥାଏ
ବନ୍ୟ କରେ ମନ
କେବେ ତପସ୍ୱିନୀଟିଏ।
ପ୍ରେମରେ ପକାଏ କେବେ
ପ୍ରତାରଣା ଦେଇ ମାରେ
ସ୍ୱପ୍ନର ନନ୍ଦନକାନନରେ
ସଂସାର ସୁଖେ ଜାଳେ ;
ଭାଙ୍ଗେ କେବେ ଏଇ ମନ
ଅବିଶ୍ବାସ, ଅପ୍ରେମ,ଅଶ୍ରଦ୍ଧା ହାତୁଡିରେ
ଭରସା ଉଡାଇ ନେଇ ବାଧ୍ୟ କରେ
ଜୀଇଁବାକୁ ମରଣ।
ଆଜୀବନ ପ୍ରିୟତମ
ତୁମେ ମୋ ଭାବନା
ତୁମପାଇଁ ପ୍ରେମିଳ, ସ୍ବପ୍ନିଳ
ମନ ହୁଏ ମୋ ଆନମନା;
ତୁମପାଇଁ କଲମ ମୋ
ଲେଖୁଛି ଗଳ୍ପ କି କବିତା
ତୁମେ ମୋର ଖୁସି ଟିପେ
ଅନ୍ଧାରୀ ଜୀବନ ସବିତା।