ପ୍ରିୟା ଗୋ
ପ୍ରିୟା ଗୋ
ପ୍ରିୟାଗୋ,
କେବେ ତୁମେ ଝିପ୍ ବର୍ଷା ବିନ୍ଦୁ ହୋଇ
ଝରିଯାଅ ମୋ ନିଦାଘ ତପ୍ତ ତନୁମନରେ,
ଦେଇ ଯାଅ ଆନନୂତ ଶୀତଳତା
ପ୍ରିୟାଗୋ,
ପୁଣିକେବେ ଶୀତୁଆ ସକାଳର ପହିଲି ଖରା ହୋଇ
ଭରି ଦିଅ ଉଷ୍ମତା ମୋ ଓଠରେ,ଛାତିରେ, ହୃଦୟରେ
ତୁମ ପଣତରେ ଝାଡିଦିଅ ମୋର ସବୁ ଅଳସ ପଣ,
ପ୍ରିୟାଗୋ,
କେବେକେବେ ଖୁବ୍ ଗହଳ ପତ୍ର ର ଛାଇଟିଏ ହୋଇ
ଜୀବନ ଚଲାପଥର ଧୁଧୁ ମରୁବାଲିରେ ଆସ
ମୋ ଆଖିରେ ଭରିଦିଅ ଆଗକୁ ଆଗକୁ ଯିବାର ସ୍ବପ୍ନ ସବୁ
ପ୍ରିୟାଗୋ,
କେବେ କେବେ ନିଜ ଜୀବନ ସଳିତାକୁ ଜାଳିଦେଇ
ଆଲୁଅରେ ଝଲସାଇ ଦିଅ ମୋ ଜୀବନ ଚଲାପଥକୁ
ଦୂରାଇ ଦିଅ ମୋ ଜୀବନର ସବୁ ଅନ୍ଧକାରକୁ,
ପ୍ରିୟାଗୋ,
ତୁମେ ଏମିତି ଆଲୁଅ ଅନ୍ଧାର
ଖରାବର୍ଷାର ରୂପ ନେଇ
ଆସୁଥାଅ ଖାଲି ମୋ ସାଥୀରେ
ଜନ୍ମ ଜନ୍ମ ଅନନ୍ତ ଜନ୍ମ ପାଇଁ।