ପ୍ରିତୀ ପୁଷ୍ପ
ପ୍ରିତୀ ପୁଷ୍ପ
ଫୁଟିଥିଲା ଦିନେ ପ୍ରେମ ଫୁଲଟିଏ
ମନ ବଗିଚାରେ ମୋର
ଖୁସିର ପାଖୁଡା ଖେଳୁଥିଲା ଦୋଳି
ଉଡେଇ ନେଲା ସମୀର।
ପ୍ରେମ ଫୁଲକୁ ସାଇତିବା ପାଇଁ
ଖୋଲିଲା ହୃଦୟ ଦ୍ବାର
ଅତି ସରାଗରେ ଆପଣାର କଲି
ଜୀବନ ସେ ପାରାବାର।
କେତେ ସ୍ୱପ୍ନ ମୋର ଉହୁଁକି ଉଠିଲା
ଗଢେ ଆଶାର ମୀନାର
ସରଗର ଚାନ୍ଦ ହାତ ପାହାନ୍ତାରେ
ପାଇ ହୋଇଲି ଅଧିର।
ମଳୟ ବୋହିଲା ଆମ୍ର ବଉଳିଲା
ବସନ୍ତର ବିନା ଆଶେ
ପିକ କୁହୁତାନ ଗୁଞ୍ଜରି ଉଠିଲା
ସତେକି ପଲ୍ଲବ ବାସେ।
ସାଥିର ପ୍ରଣୟ ପାଗଳିନୀ କଲା
ଦେଲା ଯେବେ ମୋତେ ଛୁଇଁ
ଅଙ୍ଗେ ଅଙ୍ଗେ ମୋର ଶିହରଣ ଖେଳେ
ମତୁଆଲା ହୁଏ ମୁହିଁ।
ତା ଅଧର ଯେବେ ଛୁଇଁଲା ଚିବୁକ
ନଇଁଗଲା ଆଖି ପତା
ଲାଜକୁଳୀ ସମ ଝାଉଁଳି ଗଲି ମୁଁ
ଅନୁଭବେ ଆନ ସତ୍ତା।
ପ୍ରିୟର ପରଶ ତନୁ ଶିହରଣ
କରିଦିଏ ଆନମନା
ଶତେକ ଯୁଗର କ୍ଷୁଦାରେ ଆତୁର
ସୃଷ୍ଟିର କି ବିଡମ୍ବନା।
ପ୍ରେମ ଅଟେ ଏକ ଉଜାଣି ଯମୁନା
ନାହିଁ ତାହାର ଠିକଣା
ପ୍ରିତୀ ରସାମୃତେ ଭରା ଏ ଜୀବନ
କେ କରି ପାରେ ତୁଳନା।
ବାସ ହୀନ ପୁଷ୍ପ ହୁଏ ସୁଗନ୍ଧିତ
ପ୍ରେମର ଅତର ବୋଳି
ପ୍ରିତୀର ଝାସରେ ପତଙ୍ଗ ପରାଏ
ଝାସ ଦିଏ ଜଳିଜଳି।
ସେ ଜ୍ୱଳନେ ପରା ଜଳିଯାଏ ମନ
ଇନ୍ଧନ ସାଜେ ହୃଦୟ
ପୋଡେ ନାହିଁ ତନୁ ସେ ତାପ ଅନଳେ
ଜିତିବାରେ ଥାଏ ଲୟ।
ପ୍ରିୟତମ କୋଳେ ଶୋଇ ମୁଁ ଦେଖିଛି
ଆଗାମୀ ସପନ ଯେତେ
ତା ବାହୁ ବନ୍ଧନେ ହଜିଯିବା ପାଇଁ
ସହିଛି ଯାତନା କେତେ।
ପ୍ରେମକୁ ଯିଏ କି ହୃଦୟେ ପାଇଛି
ଜିତିଛି ହାରିଲା ବାଜି
ଅନୁଭବେ ଏକା ବଖାଣି ପାରିବ
ଲୋଡା ହୁଏନାହିଁ କାଜି।