ପ୍ରୀତି କୋଣାର୍କ
ପ୍ରୀତି କୋଣାର୍କ
ଥରେ ଆସି ପ୍ରିୟା
ଦେଖିଯାଅ ତୁମେ
ଗଢିଛି ମୁଁ ଏଠି
ପ୍ରୀତି କୋଣାର୍କ
ଜଗତ ଦେଖିଛି
ତା ରୂପ ବୈଭବ
କରୁକାର୍ଯ୍ୟ ଅପରୂପ ।
ତୁମେ ହିଁ ଦେଖିନ
ମୋ ମନ୍ଦିର ଗାତ୍ରରେ
କଳା କିରତୀର ସମ୍ଭାର
ଉଠୁଛି କିପରି ପ୍ରୀତି ଜୁଆର
ଝରୁଅଛି ମେଘ ମହ୍ଲାର ।
ଚାଖିନ ବୁନ୍ଦାଏ
ଝରୁଥିବା ପୟ
ଦେଇନ ଏ ଯାଏଁ ଲୟ
ଥରେ ଆସି ଦେଖିଯାଅ
ଗଢିଛି କିପରି
ପ୍ରୀତିର କୋଣାର୍କ
ବହୁଛି ପ୍ରେମର ସୁଅ ।
ତୁମେ ଚାଖିଅଛ
ତୋଷାମଦୀ ସ୍ବାଦ
ଆଧୁନିକତା ପରଶରେ
ମୋ ମନ୍ଦିରେ ଦେଖ
କଳା ଓ ନୈପୁଣ୍ୟ
ଫୁଟିଛି ପିରତୀ ସ୍ପର୍ଶରେ
ତୁମେ ସେ ମନ୍ଦିରେ ଦେବୀ
ଥରେ ଅାସି ଦେଖ
କଳାର ପାଟବ
ଝଲସାଏ ତୁମ ଛବି ।
ତୁମେ ଆସିଗଲେ
ମନ୍ଦିର ବେଢା ରେ
ଜୀବନ୍ତ ହୋଇବେ ମୂର୍ତ୍ତୀ
ତୁମ ରୂପ ଗୁଣ ସଂଦର୍ଶନେ ମନ
ଉଲ୍ଲସିତ ହେବ ନିତି
ତୁମେ ସାଜି ବାର ଶହ ବଢେଇ
ମୋ ପ୍ରେମ ରୂପକ ଧର୍ମପଦର
ମୁଣ୍ଡକୁ ନ ଦିଅ ଗଡେଇ ।
ସାଜି ବିଶୁ ମହାରଣା ମୁହିଁ
ପଥରକୁ ନିତି କରେ ବିଗଳିତ
ବ୍ୟଥାର ଆରତୀ ଦେଇ
ଗଢୁଛି ମୁଁ ନିତି ପ୍ରୀତି କୋଣାର୍କ
ସ୍ମୃତିର ନିହଣ, ମୁଗୁର ନେଇ
କେବଳ ତୁମରି ପାଇଁ
କେବଳ ତୁମରି ପାଇଁ ।