ପରିବର୍ତ୍ତନର ଅନ୍ୟନାମ -"ଦୟା"
ପରିବର୍ତ୍ତନର ଅନ୍ୟନାମ -"ଦୟା"
ବୁନ୍ଦା ବୁନ୍ଦା ଜଳର ଧାର
ମେଘୁଆ ଆକାଶରେ କଳାବଉଦର ସମ୍ଭାର
ତଳେ କିଛି ଘାସର ଗାଲିଚା
ଆଉ ଦୂର ଦୂରାନ୍ତରେ କୋଳାହଳ ଶବଦ
ବସିଥାଏ ମୁଁ ପାହାଡ଼ ବକ୍ଷରେ
ଓଦା ପ୍ରସ୍ତର ଖଣ୍ଡମାନ
ଜଳର ଭ୍ରମ ଜାତ କରେ ହୃଦୟେ
ନିକଟ ବୃକ୍ଷଗୁଡା ବି ତୃପ୍ତ ବର୍ଷାର ଆଗମନରେ।
ଖଣ୍ଡଗିରିରେ ଉପବିଷ୍ଟ ହୋଇ
ହାତୀଗୁମ୍ଫା ଶିଳାଲେଖରେ
ଅନୁଧ୍ୟାନ କରୁଥିଲି ଖାରବେଳଙ୍କ
ଉତ୍କଳର ଶାସନର ପରିଧିକୁ।
ସମସ୍ତେ ଆସନ୍ତି ବୁଲି ଦେଖି ଖଣ୍ଡଗିରି ଶିରୀ
ଦିନେ ଉତ୍କଳମଣି ବି ଆସିଥିଲେ
ତା ଐଶ୍ୱର୍ଯ୍ୟ ବଖାଣିଥିଲେ ।
ଅନୁଭବ କରୁଥିଲି ଅତୀତର ସ୍ମୃତିକୁ
ମୁଁ କେବେ ଆସିଥିଲି ଭ୍ରମଣ କାରଣେ
ସାଙ୍ଗସାଥି ମେଳରେ
ହେଲେ ଆଜି କାଇଁ କିଛି ଅଲଗା ଲାଗେ।
ଫେରିବାକୁ ବାଧ୍ୟହେଲା ଏଇ ଚଞ୍ଚଳ ମନ
ଅତୀତର ସେଇ ପୃଷ୍ଠା ଓଲଟାଇ ଧରିବାକୁ
ଆକାଶକୁ ସାକ୍ଷୀ ରଖି ପୁଣି ସେଇ
ଦୟା ନଦୀର ଇତିହାସକୁ ରୋମନ୍ଥନ କରିବାକୁ
ପାଦ ଚାଲିଗଲା ଆପେ ଆପେ ଶାନ୍ତି ସ୍ତୁପ ଆଡେ ।
କାମନାର ବିନାଶରେ ଦୁଃଖର ବିନାଶ
ଏଇ ମର୍ମବାଣୀ ଗୁଞ୍ଜରିତ ହେଲା
ମୁଦ୍ରିତ ନୟନରେ ଦୃଶ୍ୟମାନ ହେଲା
ଅତୀତର ପ୍ରାଚୀନ ଗୌରବ ।
ଶାନ୍ତ ପରିବେଶର ଶାନ୍ତ ଉଜ୍ଜ୍ୱଳ ପ୍ରତିମା
ବୌଦ୍ଧ ଧର୍ମର ଏହି କର୍ମଶାଳାରେ
କଣ ଯେ ଖୋଜୁଥିଲି ମୁଁ ?
ଜାଣେନି ଉତ୍ତର ମାଳିଥାନ୍ତା ବୋଧେ
ଯଦି ମୁଁ ନିଷ୍ଠାର ସହ ଅନୁଧ୍ୟାନ କରିଥାନ୍ତି ।
କିନ୍ତୁ ହଠାତ୍ ଆଖି ପଡିଗଲା
ଏକ ପ୍ରଖର ଜଳଧାର ଉପରେ
ଯିଏ ବହିଚାଲିଛି ନୀରବଚ୍ଛିନ୍ନ ଭାବେ
ସାଗରେ ବିଲୀନ ହେବାକୁ ।
ଏଇ ଯେ ଦୟା !
ଇତିହାସ ଯା ପାଇଁ ଗର୍ବ କରେ
ନାଁ... ଭୟଭୀତ ହୁଏ ଜନସମାଜ
କି ଚକିତ କରେ ସେ ବିଭସ୍ଚ ରକ୍ତପାତ
ତାହା ନିର୍ଦ୍ଦିଷ୍ଟ ଭାବେ କହିପାରେନି ମୁଁ।
ଦୟାର ଇତିହାସ ରକ୍ତରେ ଜୁଡୁବୁଡ
ଦୟା ନିଜେ ବି ରକ୍ତାତ
ଯୁଦ୍ଧ ଓ ହତ୍ଯାର ପ୍ରତ୍ଯକ୍ଷଦର୍ଶୀ ସେ ।
ଆଜି ସେ ନୀରବ
ସେଦିନ ବି ସେ ନୀରବ ଥିଲା
ସଚକ୍ଷୁରେ ଦେଖିଥିଲା ଲୋମହର୍ଷଣକାରୀ ରକ୍ତପାତ
ପ୍ରତିବାଦ କରିଥିଲା କି ନାଇଁ ମୁଁ ଜାଣେନି
ନୀଳ ଜଳରାଶି ତାର ଲାଲ ପାଲଟିଯାଇଥିଲା
ମାନବରକ୍ତରେ ସ୍ନାନ କରି ।
ବୋଧହୁଏ ନିଜକୁ ତୃପ୍ତ କରିବାକୁ
ମାଗିଥିଲା ସେ ସଦ୍ଯ ବଳି ।
ଦୟା ଯେ ଦୟା ସୃଷ୍ଟି କରିବ
ଇତିହାସ ବଦଳେଇ ଦେବ
ବିଧର୍ମୀ କୁ ଧର୍ମର ଶ୍ରେଷ୍ଠ ପ୍ରଚାରକ ସଜେଇଦେବ
ପଶୁତ୍ୱ ପ୍ରବୃତ୍ତି ତ୍ୟାଗୀ
ମାନବକୁ ଶ୍ରେଷ୍ଠ ମାନବିକଗୁଣରେ
ଅଳଙ୍କୃତ କରି ଅହିଂସା ପ୍ରଚାରିବ ।
ଏହା ଥିଲା ଏକ ବିରାଟ ଉଦାହରଣ।
ଶାନ୍ତ ଜଳରାଶି ନିକଟକୁ ଯିବାକୁ
ସାହାସ ହେଉନଥିଲା
ବାରଣ କରୁଥିଲେ କେହି କେହି
ତାର ଉତ୍ ଫୁଲ୍ଲିତ ଜଳରାଶିର
ପ୍ରଖର ସ୍ରୋତକୁ ଦେଖି ।
ମନେ ତ ଭୟ ନିଶ୍ଚୟଥିଲା
ରକ୍ତିମ ଦୟାର ଇତିହାସ ଅଧ୍ୟୟନ କରି
ହେଲେ ଗଲି ମୁଁ ତା ନିକଟକୁ
କିଛି ଗୋଟେ ପାଇବା ଆଶାରେ
ଚଣ୍ଡାଶୋକକୁ ଯେ ଧର୍ମାଶୋକରେ
ପରିଣତ କରିଥିଲା
ଅହିଂସା ନୀତିରେ ତାକୁ
ଜଗତେ ପରିଚିତ କଲା
ସେ ଯେ ମତେ କିଛି ନଦେବ
ତାହାର ଆଶା ନଥିଲା ମୋର ।
ଜଳରାଶି ଉଛୁଳି ଉଠିଛି
ନୀଳଜଳରାଶି ଧୂସର ବର୍ଣ୍ଣଧରି
କୂଳ ଲଙ୍ଘନ କରିବାକୁ ବ୍ଯସ୍ତ ହେଲାଣି
ଅନେକ ଆଶା ନେଇ ପାଦ ଦେଲି ଜଳରେ
ହେଲେ ଆଜି ସେ ନୀରବ
କିଛି ପାଇ ନାହିଁ ଉପଲବ୍ଧି କରି (ମନେ ମନେ)
ଅସନ୍ତୁଷ୍ଟ ହୋଇ ଫେରିଆସିଲି
ମନେ ଭାବିଲି ଯେ ନିଜେ
ଏତେ ନୀରବ ସେ କଣ ମତେ କହିବ ?
ଫେରିବା ବାଟରେ ଅନୁଭୂତି
କିନ୍ତୁ ଜଣାନାହିଁ ଅଶାନ୍ତ ମନ ମୋର
ତୃପ୍ତ ହୋଇଯାଇଥିଲା
ଯେଉଁ ହଜାର ହଜାର ପ୍ରଶ୍ନ ନେଇ
ପାଦ ଦୟାକୂଳକୁ ଚାଲିଯାଇଥିଲା
ସେ ଶତ ପ୍ରଶ୍ନ ର ଗୋଟିଏ ଉତ୍ତର ମିଳିଲା
ଶାନ୍ତି ହିଁ ହୃଦୟକୁ ନିର୍ମଳ ରଖେ
ଜିଗ୍ଯାଁସାର ଅନ୍ତ ନାହିଁ
ମନକୁ ନିର୍ମଳ ରଖବାର ଏକମାତ୍ର ଉପାୟ
ଭଗବତ୍ ଆରାଧନା ସତ୍ ଚିନ୍ତା ।
ନିଜ ଭିତରେ ନିଜକୁ ଖୋଜି ପାଇଲେ
ଅଶୋକଙ୍କ ପରି ପରିବର୍ତ୍ତନ ହେବ।
ଦୟା ସତରେ ନୀରବରେ କହିଯାଇଥିଲା
ବହୁତ କିଛି ,ନୀରବତା ଅସ୍ତ୍ରରେ
ଆଘାତ କରି ଯେ କଠୋର ହୃଦୟରୁ
ଝରାଇ ପାରିଥିଲା ଦୟା ।
ମୋର ବିଚଳିତ ମନକୁ ଦିଗଦର୍ଶନ ଦେଇ
ହୃଦୟକୁ ନିର୍ମଳ କରିଦେବା
ତା ପାଇଁ କିଛି ବଡ କଥା ନୁହେଁ ।
କେହି କେହି କୁହନ୍ତି ରକ୍ତପିପାସୁ ଦୟା !
ମୋ ମତରେ କିନ୍ତୁ କିଛି ଭିନ୍ନ
ବାସ୍ତବିକ୍ ଆପଣମାନେ ଯଦି ପରିବର୍ତ୍ତନ ଚାହାଁନ୍ତି
ତେବେ କେବେ ବୁଲିଆସନ୍ତୁ ଯାଇ ଦୟାତୀରେ
ପରଖି ନିଅନ୍ତୁ ନିଜକୁ ଦୟାର ଶାନ୍ତ ଜଳେ ।
ପରିବର୍ତ୍ତନ ର ଅନ୍ୟନାମ -" ଦୟା" ।